Categories: ଜାତୀୟ

ଗୃହରେ କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶ ଭକ୍ତ କହି ବିବାଦ ଘେରକୁ ଆସିଥିବା ଏମ୍‌ପି ପ୍ରଜ୍ଞା ଠାକୁର ଶୁକ୍ରବାର ଲୋକ ସଭାରେ କ୍ଷମା ମାଗିଛନ୍ତି। ମୋ ମନ୍ତବ୍ୟକୁ ବିରୋଧୀମାନେ ଅତିରଞ୍ଜିତ କରୁଛନ୍ତି ବୋଲି ପ୍ରଜ୍ଞା କହିଛନ୍ତି। ସେ କ୍ଷମା ମାଗିଥିଲେ ମଧ୍ୟ ଗୃହରେ ହଙ୍ଗାମା ବିରୋଧୀ ହଙ୍ଗାମା କରିଛନ୍ତି। ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗ କ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଥିଲା କଂଗ୍ରେସ। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଜ୍ଞା ଠାକୁରଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଥିଲେ। ଭାଜପା ପ୍ରଜ୍ଞା ଠାକୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ନିଜର ତୁଣ୍ଡ ପାଇଁ ସର୍ବଦା ବିବାଦ ସୃଷ୍ଟି କରୁଥିବା ପ୍ରଜ୍ଞାଙ୍କୁ କେନ୍ଦ୍ର ସରକାର ପ୍ରତିରକ୍ଷା ପ୍ୟାନେଲରେ ସାମିଲ କରିଥିଲେ। ହେଲେ ଏହି ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି। ସେହିପରି ସଂସଦର ଚଳିତ ଶୀତ ଅଧିବେଶନରେ ପ୍ରଜ୍ଞା କୌଣସି ପ୍ରକାରର ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଯୋଗଦେଇ ପାରିବେ ନାହିଁ ବୋଲି ମଧ୍ୟ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ।ସୂଚନାଯୋଗ୍ୟ, ଗୃହରେ ଡିଏମେକେ ଏମପି ଏ. ରାଜାଙ୍କ ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗଡସେର ଉଦାହରଣ ଦେଇଥିଲେ। ସେ କହିଥିଲେ ଗଡସେ ଗାନ୍ଧୀଙ୍କୁ ହତ୍ୟା କରିବାର କାରଣ ସେ ଏକ ନିର୍ଦ୍ଦିିଷ୍ଟ ଦର୍ଶନରେ ବିଶ୍ୱାସ କରୁଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞା ଠାକୁର କହିଥିଲେ, ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ। ଏହାପରେ ବିରୋଧୀ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଜ୍ଞାଙ୍କୁ ନିଜ ଆସନରେ ବସିବାକୁ କହିଥିଲେ।

Share