ଗୃହରେ ମନ୍ତ୍ରୀ,ଶାସକ ବିଧାୟକଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲେ ତାରା: ‘ପାଟକୁରା ନିର୍ବାଚନ ପର୍ଯ୍ୟନ୍ତ ଗୃହ ବନ୍ଦ କରିଦିଆଯାଉ’

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅପରାହ୍ନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅବକାରୀ ବିଭାଗ ବ୍ୟୟ ବରାଦ ବିଲ୍‌କୁ ମଞ୍ଜୁରୀ ଦେବା ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଏଣ୍ଟ ଅଫ୍‌ ଅର୍ଡର ଆଣିଥିଲେ। ବାଚସ୍ପତି ତାରାଙ୍କ ପଏଣ୍ଟ ଅଫ୍‌ ଅର୍ଡରକୁ ଗ୍ରହଣ କରି ତାଙ୍କୁ କହିବାର ସୁଯୋଗ ଦେଇଥିଲେ। ତାରା ଗୃହରେ ଶାସକ ଦଳର ମନ୍ତ୍ରୀ ଏବଂ ବିଧାୟକମାନେ ଅନୁପସ୍ଥିତ ରହିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ପାଟକୁରା ନିର୍ବାଚନ ଆସନ୍ତା ୨୦ରେ ହେବାକୁ ଯାଉଛି। ସେଥିପାଇଁ ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ସେଠାରେ ଡେରା ପକାଇଛନ୍ତି। ତେଣୁ ଗୃହରେ ପ୍ରଶ୍ନକାଳ ଚାଲିଥିବାବେଳେ ୨୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୬ଜଣ ଉପସ୍ଥିତ ଅଛନ୍ତି। ଯେଉଁଠାରେ ସାଢେ ୪କୋଟି ଲୋକଙ୍କ ସମସ୍ୟା ନେଇ ଆଲୋଚନା ହେଉଛି ସେଠାରେ ବିଧାୟକ ଏବଂ ମନ୍ତ୍ରୀମାନେ ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ। ତେଣୁ ବାଚସ୍ପତି ଗୃହକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେବା ଭଲ ହେବ। ଆଉ ଏଥିପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ଚିଠି ଲେଖି ଜଣାନ୍ତୁ। ମୁଖ୍ୟମନ୍ତ୍ରୀ ଯେହେତୁ ଗୃହରେ ଅନୁପସ୍ଥିତ ରହୁଛନ୍ତି ସେଥିଲାଗି ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଚିଠି ଲେଖିବାକୁ ତାରା ଗୃହରେ କହିଛନ୍ତି।

Share