ଗୃହିଣୀ ହାତରେ ବନ୍ଧୁକ

ଭଦ୍ରକ ଅଫିସ, ୨୬।୫ – ଯେଉଁ ନାରୀ ହାତରେ ରୋଷେଇ କରି ଚାରିକାନ୍ଥ ମଧ୍ୟରେ ସୀମିତ ରହେ ସେହି ନାରୀ ବି ବନ୍ଧୁକ ଚାଳନା କରି ପ୍ରତିଭା ଦେଖାଇଥାଏ। ଏଭଳି ଜଣେ ଅନନ୍ୟ ପ୍ରତିଭା ହେଉଛନ୍ତି ରୁକ୍ମିଣୀ ଲାହା(୩୬)। ଘର ଭଦ୍ରକ ପୌରାଞ୍ଚଳ ଅଧୀନ ନରିପୁର ଅଞ୍ଚଳରେ। ସ୍ବାମୀ ରଘୁନାଥ ପ୍ରସାଦ ଲାହା, ପୁଅ ରୁଦ୍ର ଓ ଝିଅ ଆଦ୍ୟାଶାଙ୍କୁ ନେଇ ତାଙ୍କର ପରିବାର। ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ସେ ବନ୍ଧୁକ ଚାଳନାରେ ବେଶ୍‌ ପାରଦର୍ଶିତା ହାସଲ କରିଛନ୍ତି। ଆଗକୁ ବଢ଼ିବା ଏବଂ ଆଗାମୀ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗ ନେବା ଲାଗି ସେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି। ବନ୍ଧୁକ ଚାଳନା ଭଳି ଦୁଃସାହସିକ କ୍ରୀଡ଼ା ପ୍ରତି ରୁକ୍ମିଣୀ ରୁଚି ରଖୁଥିବାରୁ ତାଙ୍କ ପରିବାର ତାଙ୍କୁ ଉତ୍ସାହିତ କରୁଛନ୍ତି।
୨୦୦୪ ରେ ରୁକି୍ମଣୀ ରଘୁନାଥଙ୍କୁ ବିବାହ କରିଥିଲେ। ରଘୁନାଥ ଜଣେ ଜାତୀୟସ୍ତରୀୟ ବନ୍ଧୁକ ଚାଳନା କ୍ରୀଡ଼ାବିତ୍‌। ୨୦୧୩ରୁ ସ୍ବାମୀଙ୍କୁ ଅନୁକରଣ କରି ସେ ବନ୍ଧୁକ ଚାଳନା ଅଭ୍ୟାସ ଆରମ୍ଭ କରିଥିଲେ। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ବନ୍ଧୁକ ଚାଳନା ଅଭ୍ୟାସ ଲାଗି ଘର ବାଡ଼ି ପଛପଟେ ଥିବା ସାଳନ୍ଦୀ ଶଯ୍ୟାରେ ଏକ ଅସ୍ଥାୟୀ ରେଞ୍ଜ କରିଛନ୍ତି। ୨୦୧୬ରେ ରୁକ୍ମିଣୀ ତାଳଚେର ରାଇଫଲ୍‌ କ୍ଲବ ପକ୍ଷରୁ ମହିଳା ବିଭାଗ ପ୍ରତିଯୋଗିତାରେ ଭାଗ ନେଇ ବନ୍ଧୁକ ଚାଳନାରେ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେଠାରୁ ପ୍ରମାଣପତ୍ର ପାଇ ପ୍ରଶଂସିତ ହୋଇଥିଲେ। ଏହାପରଠାରୁ ପଛକୁ ଫେରି ଚାହିଁନାହାନ୍ତି। ରୁକ୍ମିଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବନ୍ଧୁକ ଚାଳନା ପ୍ରଶିକ୍ଷଣ ଲାଗି ଭଦ୍ରକରେ ସରକାରୀ ସ୍ତରରେ କୌଣସି ଭିତ୍ତିଭୂମି ସୃଷ୍ଟି ହୋଇନାହିଁ। ଏଥିଲାଗି ନିଜ ଘରବାଡ଼ିରେ ରେଞ୍ଜ ପ୍ରସ୍ତୁତ କରି ସେ ଅଭ୍ୟାସ କରୁଛନ୍ତି। ଅଭ୍ୟାସ ପାଇଁ ଆବଶ୍ୟକ ପଡୁଥିବା ଗୁଳି ବ୍ୟୟବହୁଳ ହୋଇଥିବାରୁ ସେ ଅଳ୍ପ ସମୟ ଲାଗି ଅଭ୍ୟାସ କରିପାରୁଛନ୍ତି। ଗୋଟିଏ ଗୁଳି କିଣିବାକୁ ୪୦ ଟଙ୍କା ପଡୁଥିବାରୁ ତାଙ୍କ ଅଭ୍ୟାସରେ ସମସ୍ୟା ସୃଷ୍ଟି ହେଉଛି। ଏହି ଜିଲାରେ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ଲାଗି କୌଣସି କମ୍ପାନୀ ଆଗଭର ହେଉ ନ ଥିବାରୁ ଅନେକ ପ୍ରତିଭା ଅବହେଳିତ ହୋଇରହୁଛନ୍ତି। ଜିଲା କ୍ରୀଡ଼ା ବିଭାଗ ଷ୍ଟାଡିୟମ୍‌ ପରିସରରେ ରେଞ୍ଜ୍‌ ନିର୍ମାଣ କରି ଏବଂ କୋଚ୍‌ ନିଯୁକ୍ତ କରି ବନ୍ଧୁକ ଚାଳନା ଭଳି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ରୁକି୍ମଣୀଙ୍କ ସ୍ବାମୀ ରଘୁନାଥ କହିଛନ୍ତି।