ଗୃହ କାର୍ଯ୍ୟାଦେଶ ଆବଣ୍ଟନ ବେଳେ ଉତ୍ତେଜନା: ସରପଞ୍ଚମାନଙ୍କ ଧାରଣା

ଆନନ୍ଦପୁର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ଶନିବାର ପୂର୍ବାହ୍ନରେ ଗ୍ରାମାଞ୍ଚଳ ଗୃହ କାର୍ଯ୍ୟାଦେଶ ଆବଣ୍ଟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆନନ୍ଦପୁର ବ୍ଲକ ବିଡିଓ ଶୁଭ୍ରବାଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ, ସଂପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଜିଆର୍‌ଏସ୍‌ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସରପଞ୍ଚମାନେ ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ। ପଞ୍ଚାୟତରେ କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହିତାଧିକାରୀମାନଙ୍କୁ ଗୃହ କାର୍ଯ୍ୟାଦେଶ ଆବଣ୍ଟନ ପାଇଁ କରୁଥିବା ଚୟନ ପ୍ରକ୍ରିୟାରେ ସେମାନଙ୍କ ସହିତ ଆଲୋଚନା କରୁ ନ ଥିବା ସରପଞ୍ଚମାନେ କହିଥିଲେ। ଏହି ଅଭିଯୋଗକୁ ବିଡିଓ ଖଣ୍ଡନ କରିବା ସହିତ ସରକାରୀ ନିୟମ ଅନୁସାରେ ଗୃହ କାର୍ଯ୍ୟାଦେଶ ଦିଆଯାଉଥିବା କହିଥିଲେ। ଯଦି ସରପଞ୍ଚମାନେ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ଚାହୁଁନାହାନ୍ତି ତେବେ ସଭା ବାହାରକୁ ପଳାଇ ଯାଆନ୍ତୁ ବୋଲି ବିଡିଓ କହିଥିଲେ। ଏଣୁ ତରତରା ସରପଞ୍ଚ ଜିତେନ୍ଦ୍ର ସାମଲଙ୍କ ସହିତ ଅନ୍ୟ ପଞ୍ଚାୟତର ସରପଞ୍ଚମାନେ ବୈଠକ ତ୍ୟାଗ କରିଥିଲେ। ପରେ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସେମାନଙ୍କ ସହିତ ଆଲୋଚନା କରି ତାଲିକା ପ୍ରସ୍ତୁତ କରିବା ପାଇଁ ଦାବି କରି ସଭାକକ୍ଷ ସମ୍ମୁଖରେ ସରପଞ୍ଚମାନେ ଧାରଣାରେ ବସିଥିଲେ।