ଭଦ୍ରକ ଅଫିସ,୨୪।୭: ଭଦ୍ରକ ପୌରପାଳିକା ଅଧୀନ ଚରମ୍ପା ବରାଳପୋଖରୀର ୧, ୨, ୩ ଓ ୪ ନମ୍ବର ୱାର୍ଡରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଭୂମିହୀନ ମହିଳା ଓ ପୁରୁଷ ଦୀର୍ଘବର୍ଷ ଧରି ରହିଆସୁଛନ୍ତି। ସେମାନେ ରେଳବାଇ ଜମି ଓ ସରକାରଙ୍କ ଗୋଚର ଜମିରେ ରହୁଥିବା ବେଳେ ଆଉ କେତେକ ଭଡ଼ାରେ ରହିଆସୁଛନ୍ତି। ସହରାଞ୍ଚଳରେ ଏହି ଲୋକେ ଦୀର୍ଘବର୍ଷ ଧରି ରହିଆସୁଥିଲେ ମଧ୍ୟ ବିଭିନ୍ନ ସରକାରୀ ଯୋଜନାରୁ ବାଦ୍ ପଡୁଛନ୍ତି। ପୌରପାଳିକା ପକ୍ଷରୁ ସେମାନଙ୍କୁ ଚିହ୍ନଟ କରାଯାଇ ଗୃହ ଯୋଗାଇ ଦେବା ପାଇଁ ଦାବି କରାଯାଇଛି। ଭୂମିହୀନ ମହିଳା ଓ ପୁରୁଷ ମଙ୍ଗଳବାର ଜିଲାପାଳ ଜ୍ଞାନରଞ୍ଜନ ଦାସ ଓ ବୁଧବାର ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।