Categories: ମେଟ୍ରୋ

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ନୟାଗଡ଼ ଜିଲା ସରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ୧୪ ବର୍ଷ ହେଲା କଙ୍ଗାରୁ କୋର୍ଟର ଶିକାର ହୋଇ ନିଜ ଗ୍ରାମକୁ ଫେରିପାରୁନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ପ୍ରଥା ପ୍ରଚଳନ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ୨୦୧୫ ସେପ୍ଟେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ଏବଂ ସେହିମାସ ୧୫ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଘଟଣାର ସମାଧାନ ପାଇଁ ଆସିଥିବା ନିର୍ଦ୍ଦେଶକୁ ଚାପିରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ ଗୃହରେ ବାରମ୍ବାର ମିଥ୍ୟା ତଥ୍ୟଦେଇ ଭ୍ରମିତ କରିବା ଏବଂ ରାଜ୍ୟବାସୀଙ୍କୁ ବାସ୍ତବିକ ତଥ୍ୟଠାରୁ ଦୂରେଇ ରଖାଯାଉଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୃହରେ ଉପସ୍ଥାପିତ ନ କରି ବାରମ୍ବାର ମିଥ୍ୟା ତଥ୍ୟ ଦେଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଦାବି କରିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନିଶିକାନ୍ତ କହିଛନ୍ତି ଯେ, ଗ୍ରାମରୁ ବିତାଡିତ ପରିବାରଙ୍କୁ ନେଇ ଗୃହମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ତାହା ଭୁଲ୍‌। ଜିଲା ପ୍ରଶାସନ, ରାଜ୍ୟ ପ୍ରଶାସନ ଥରେ ହେଲେ ମଧ୍ୟ ଆମ ସହ ଯୋଗାଯୋଗ କରିନାହାନ୍ତି ବୋଲି ଗ୍ରାମରୁ ୧୫ ବର୍ଷ ହେଲା ବିତାଡିତ ହୋଇଥିବା ଯୁଧିଷ୍ଠିର କରଣ କହିଛନ୍ତି। କାହା ଇଙ୍ଗିତରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ସରକାର ଚାପି ରଖିଥିଲେ। ଶାନ୍ତି କମିଟି ଗଠନ ପାଇଁ ମାନବାଧିକାର ଡିଜିଙ୍କ ନିର୍ଦ୍ଦେଶକୁ ସରକାର କାହିଁକି ଚାପି ରଖିଛନ୍ତି। ନୟାଗଡ଼ ଜିଲାପାଳ,ଏସପିଙ୍କୁ ଶାନ୍ତି କମିଟି ଗଠନ କରି ଗାଁ ଛାଡିଥିବା ପରିବାରଙ୍କୁ ଥଇଥାନ କରିବା ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣାରେ ସରଣକୁଳ ଥାନାରେ ୧୬ରୁ ଅଧିକ ମାମଲା ରୁଜୁ ହେଇଥିବାସ୍ଥଳେ ମାତ୍ର ୧୦ ମାମଲା ରୁଜୁ ହେଇଥିବା କଥା କେମିତି ଗୃହମନ୍ତ୍ରୀ ବିଧାନସଭାରେ କହିଲେ ବୋଲି ନିଶିକାନ୍ତ ପ୍ରଶ୍ନ କରିଛନ୍ତି।

Share