Categories: ଖେଳ

ଗେଲ, ମାଲିଙ୍ଗାଙ୍କୁ କେହି କିଣିଲେ ନାହିଁ

ଲଣ୍ଡନ,୨୧।୧୦- ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡ୍ରେଡ୍‌’ ପାଇଁ ରବିବାର ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାଁଙ୍କୁ ପ୍ରଥମେ ଓ ଇଂଲଣ୍ଡ ଅଲରାଉଣ୍ଡର ଲୁକ ରାଇଟ୍‌ ଅନ୍ତିମ ଖେଳାଳି ଭାବେ ବିକ୍ରି ହୋଇଥିଲେ। କିନ୍ତୁ ବିସ୍ଫୋରକ ଓପନର କ୍ରିସ ଗେଲ ଓ ୟର୍କର କିଙ୍ଗ୍‌ ଲସିଥ ମାଲିଙ୍ଗା କୌଣସି ଦଳକୁ ଆକୃଷ୍ଟ କରିପାରି ନାହାନ୍ତି। ଏମାନଙ୍କ ବ୍ୟତୀତ କାଗିସୋ ରାବାଡା ମଧ୍ୟ ଅନ୍‌ସୋଲ୍ଡ ରହିଛନ୍ତି। ଏହି ଲିଗ୍‌ର ନିୟମ ଅନୁଯାୟୀ, ପ୍ରତ୍ୟେକ ଦଳରେ ୩ ବିଦେଶୀ ଖେଳାଳି ରହିପାରିବେ। ଦୁଇ ଘରୋଇ ଖେଳାଳି ଓ ଇଂଲଣ୍ଡର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଜଣେ ଖେଳାଳିଙ୍କୁ ପ୍ରତ୍ୟେକ ଦଳ ପୂର୍ବରୁ କିଣିଥିଲେ। ଗ୍ରେଟ ବ୍ରିଟେନ ପାଉଣ୍ଡରେ ୧୨୫ ହଜାର (ଭାରତୀୟ ମୁଦ୍ରାରେ ୧.୧୪ କୋଟି), ୧ ଲକ୍ଷ, ୭୫ ହଜାର, ୬୦ ହଜାର, ୫୦ ହଜାର ଓ ୩୦ ହଜାର ଆଦି ସାଲାରି ପ୍ୟାକେଜ ଅନୁଯାୟୀ ନିଲାମ ପ୍ରିକ୍ରିୟା ୭ ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଗ୍ଲେନ ମ୍ୟାକ୍ସଓ୍ବେଲ, ସୁନୀଲ ନାରିନ, ଡେଭିଡ ଓ୍ବାର୍ନର, ଷ୍ଟିଭ ସ୍ମିଥ, ମିଚେଲ ମାର୍ଶଙ୍କ ଭଳି ଖେଳାଳିଙ୍କୁ ପ୍ରଥମ ରାଉଣ୍ଡରେ ବିଭିନ୍ନ ଦଳ କିଣିଥିଲେ। ଅନ୍ୟପକ୍ଷରେ ଶାକିବ ଅଲ ହାସନ, ଟ୍ରେଣ୍ଟ ବୋଲ୍ଟ, କିରନ ପୋଲାର୍ଡ ଓ ଡ୍ବେନ ବ୍ରାଭୋ ବାଦ୍‌ ପଡ଼ିଥିଲେ। ମୋଟ ଉପରେ ୯୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିବାବେଳେ ୪୭୪ ଖେଳାଳି ଅନ୍‌ସୋଲ୍ଡ ରହିଥିଲେ।

Share