ଗେଷ୍ଟ ହାଉସରେ ସେକ୍ସ ର଼୍ୟାକେଟ, ୨ ଗିରଫ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ଗେଷ୍ଟ ହାଉସରେ ସେକ୍ସ କାରବାର ଚାଲିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ମଙ୍ଗଳବାର ଖଣ୍ଡଗିରି ଥାନା ପୋଲିସ ଅଚାନକ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଗିରଫ ଦୁଇଜଣ ହେଲେ ଗେଷ୍ଟ ହାଉସ ମାଲିକ ପୁରୀ ଜିଲା କାକଟପୁର ଅଞ୍ଚଳର ସଞ୍ଜୟ କୁମାର ବେହେରା ଓ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଗ୍ରାହକ ରଞ୍ଜନ କୁମାର ଜେନା। ଉଦ୍ଧାର ୩ ଯୁବତୀଙ୍କୁ ଡାକ୍ତରୀ ମାଇନା କରାଯିବା ପରେ ଶର୍ଟ ଷ୍ଟେ’ ହୋମ୍‌କୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଉକ୍ତ ଗେଷ୍ଟ ହାଉସର ମାଲିକ ସମେତ ଏକ ଦଲାଲ ଦୀର୍ଘଦିନ ହେବ ଯୁବତୀଙ୍କୁ ଆଣି ଦେହ ବେପାର କରୁଥିଲେ। ବିଶେଷ ସୂତ୍ରରୁ ପୋଲିସ ଖବରପାଇ ଗେଷ୍ଟ ହାଉସ୍‌ ଉପରେ ଚଢ଼ାଉ କରି ଅସଂଯତ ଅବସ୍ଥାରେ ରଞ୍ଜନଙ୍କୁ ଧରିଥିଲା। ପୋଲିସ ଗାଡି ଦେଖିବା କ୍ଷଣି କେତେକ ଗ୍ରାହକ ଖସି ପଳାଇଥିଲେ। ପୋଲିସ ଗେଷ୍ଟ ହାଉସରେ ତନଖି କରିବାବେଳେ ରୁମ୍‌ ଭିତରୁ କିଛି ଆପତ୍ତିଜନକ ସାମଗ୍ରୀ, ମୋବାଇଲ ଓ ଟଙ୍କା ପାଇଥିଲା। ଏ ନେଇ ପୋଲିସ ୪୪୩/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଏହି ମାମଲାରେ ୫ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଅଭିଯୁକ୍ତଦ୍ୱୟଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share