Categories: ଖେଳ

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା ଫଳରେ ଆଇଓଏ ଅସନ୍ତୋଷ ଜାହିର କରିବା ସହ ଏହି ନିର୍ଦ୍ଦେଶ ଦେଇଛି। ଖୁବ୍‌ ଶୀଘ୍ର ଆଇଓଏର ଏକ ପ୍ରତିନିଧି ଦଳ ଗୋଆ ଯାଇ କ୍ରୀଡ଼ାର ତାରିଖ ନେଇ ଅନ୍ତିମ ନିଷ୍ପତ୍ତି ନେବ। ତେବେ ୩ଥର ତାରିଖ ଘୁଞ୍ଚାଇଥିବାରୁ ଗୋଆକୁ ୧୦ କୋଟି ଟଙ୍କା ଜରିମାନ ଆକାରରେ ଦେବାକୁ ହେବ ବୋଲି ଆଇଓଏ ତରଫରୁ ସ୍ପଷ୍ଟ କରାଯାଇଛି। ଯଦି ଗୋଆ ଜରିମାନା ନ ଦିଏ ଓ ୨୦୧୯ରେ ଏହି କ୍ରୀଡ଼ା ଆୟୋଜନ ନ କରେ ତାହେଲେ ଏହାକୁ ବାତିଲ କରାଯିବ ବୋଲି ଆଇଓଏର ଗେମ୍ସ ଟେକନିକାଲ କଣ୍ଡକ୍ଟ କମିଟି ଅଧ୍ୟକ୍ଷ ମୁକେଶ କୁମାର କହିଛନ୍ତି। ଉଲ୍ଲେଖଥାଉ କି, ଗୋଆ ଚଳିତ ବର୍ଷ ମାର୍ଚ୍ଚ- ଏପ୍ରିଲ୍‌ରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ କାରଣରୁ ଏହି ଇଭେଣ୍ଟ ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣ ପ୍ରଥମେ ୨୦୧୬ରେ ଆୟୋଜନ ହେବାର ଥିଲା। ତେବେ ଏହାକୁ ଏକାଧିକବାର ବିଭିନ୍ନ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଶେଷଥର ପାଇଁ ଏହା ମାର୍ଚ୍ଚ ୩୦ରୁ ଏପ୍ରିଲ ୧୪ ମଧ୍ୟରେ ଆୟୋଜନ ହେବାର ଥିଲା। ପୂର୍ବରୁ ଏହି କ୍ରୀଡ଼ାକୁ ଗୋଆରୁ ସ୍ଥାନାନ୍ତର କରିବାକୁ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କହିଥିଲେ। ଏହି କ୍ରୀଡ଼ାର ୩୬ତମ ସଂସ୍କରଣ ଗୋଆ ଆୟୋଜନ କରିବା ପରେ ପରବର୍ତ୍ତୀ ସଂସ୍କରଣଗୁଡିକ ୨୦୧୯ରେ ଛତିଶଗଡ଼ ଓ ୨୦୨୦ରେ ଉତ୍ତାରାଖଣ୍ଡ ଓ ୨୦୨୨ରେ ମେଘାଳୟରେ ଆୟୋଜନ କରିବାକୁ ଆଇଓଏ ନିଷ୍ପତ୍ତି ନେଇଥିଲା।

Share