ଗୋଆରେ ମିଳୁଛି ‘ଉର୍ବଶୀ ରୌଟେଲା-ଶଟ୍‌’

ମୁମ୍ବାଇ: ବି-ଟାଉନ୍‌ ତାରକାଙ୍କୁ ନେଇ କ୍ରେଜ୍‌ କିଛି ନୂଆ କଥା ନୁହେଁ। ନିଜ ମନପସନ୍ଦ ଅଭିନେତ୍ରୀ, ଅଭିନେତାଙ୍କ ପାଇଁ ବେଳେ ବେଳେ ଫ୍ୟାନ୍‌ମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଦର୍ଶକଙ୍କ ଏହି ଦୁର୍ବଳତା ଅନେକ ସମୟରେ ବ୍ୟବସାୟୀଙ୍କୁ ଫାଇଦା ଦେଇଥାଏ। ସେଲିବ୍ରିଟିଙ୍କ ନାଁ ଯୋଡ଼ି ବ୍ୟବସାୟୀମାନେ ସ୍ମାର୍ଟ ବ୍ୟବସାୟ କରି ଲାଭବାନ ହୋଇଥାନ୍ତି। ଏପରି ଅନେକ ଉଦାହରଣ ଆପଣ ନିଜେ ମଧ୍ୟ ଦେଖିଥିବେ। ଏହିଭଳି ଏକ ନଜିର ମିଳିଛି ଗୋଆର ଏକ କ୍ଲବ୍‌ରେ। ଏଠାରେ ବି-ଟାଉନ୍‌ର ବୋଲ୍ଡ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ନାମରେ ମିଳୁଛି ମାଦକ ମିଶ୍ରିତ ପାନୀୟ। ଗୋଆର ଏହି କ୍ଲବରେ ଉପଲବ୍ଧ ହେଉଛି ଏକ ନୂତନ ମାଦକ-ପାନୀୟ, ଯାହାର ନାମ ରଖାଯାଇଛି ‘ଉର୍ବଶୀ ରୌଟେଲା-ଶଟ୍‌’। ବୋଲ୍ଡ ଉର୍ବଶୀଙ୍କ ବ୍ୟକ୍ତିତ୍ୱ ଅନୁଯାୟୀ ଏହି ମାଦକ ମିଶ୍ରିତ ପାନୀୟକୁ କ୍ଲବ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହାଛଡ଼ା ଉର୍ବଶୀଙ୍କ ଫ୍ୟାନ୍‌ମାନଙ୍କୁ କ୍ଲବ୍‌କୁ ଟାଣିଆଣିବାକୁ ଏବଂ ବ୍ୟବସାୟିକ ସଫଳତା ଦୃଷ୍ଟିରୁ ଏଭଳି ଉପାୟ ବାହାର କରିଥିବା କ୍ଲବ ପକ୍ଷରୁ କୁହାଯାଇଛି। ଗୋଆର ପରିବେଶ ଅନୁସାରେ ଏଭଳି ରୌଟେଲା-ଶଟ୍‌ ଗ୍ରାହକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି କ୍ଲବ୍‌ ମାଲିକଙ୍କ ଆଶା ରହିଛି। ତେବେ କ୍ଲବ୍‌ରେ ନିଜ ନାଁରେ ଏଭଳି ମାଦକ ମିଶ୍ରିତ ପାନୀୟ ମିଳୁଥିବା ଜାଣିବା ପରେ ଉର୍ବଶୀ ବହୁତ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ଏହା ଏକ ଭଲ ପ୍ରୟାସ। କ୍ଲବ୍‌ ମାଲିକ ଯେଉଁ ଉଦ୍ଦେଶ୍ୟ ରଖି ମୋ ନାଁରେ ଶଟ୍‌ ବିକ୍ରି ଆରମ୍ଭ କରିଛନ୍ତି, ତାଙ୍କର ସେହି ଚେଷ୍ଟା ସଫଳ ହେଉ। ଅନ୍ୟପକ୍ଷରେ ଉର୍ବଶୀ ଖୁବ୍‌ଶୀଘ୍ର ମଲ୍‌ଟି ଷ୍ଟାରର ଫିଲ୍ମ ‘ପାଗଲପନ୍ତି’ରେ ନଜରକୁ ଆସିବେ। ଏଥିରେ ଅନିଲ କପୁର, ଜନ୍‌ ଆବ୍ରାହମ୍‌, ଇଲିୟାନା ଡିକ୍ରୁଜ୍‌, କ୍ରିତି ଖରବନ୍ଦା ଏବଂ ଅରଶଦ୍‌ ଓ୍ବାରସୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Share