ଗୋଇନ୍ଦା ବ୍ୟୁରୋ କାର୍ଯ୍ୟାଳୟ, ସତ୍ୟନଗର ପ୍ଲଟ୍‌ ନଂ.୧୧/ଏ ସିଲ୍‌

ଭୁବନେଶ୍ୱର, ୮ା୪(ବ୍ୟୁରୋ): ଭୁବନେଶ୍ବର ବିଦ୍ୟୁତ୍‌ ମାର୍ଗରେ ଅବସ୍ଥିତ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ବ୍ୟୁରୋ (ଆଇବି) କାର୍ଯ୍ୟାଳୟ, ଷ୍ଟାଫ୍‌ କଲୋନୀ ଓ ଜନପଥ ପାର୍ଶ୍ୱ ତଥା ସତ୍ୟନଗରସ୍ଥିତ ଏକ ବିଲ୍ଡିଂ (ପ୍ଲଟ୍‌ ନଂ.୧୧/ଏ)କୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି। ଆଇବି କାର୍ଯ୍ୟାଳୟର ଜଣେ କର୍ମଚାରୀ ସୂର୍ଯ୍ୟନଗର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ବିଏମ୍‌ସି ପକ୍ଷରୁ ଉକ୍ତ କୋଠା ଓ ଷ୍ଟାଫ୍‌ କଲୋନୀକୁ ୧୯ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଚିହ୍ନଟ ଜଣେ କରୋନା ଆକ୍ରାନ୍ତ ରହୁଥିବା ସତ୍ୟନଗରସ୍ଥିତ ଉକ୍ତ କୋଠାକୁ ମଧ୍ୟ ସିଲ୍‌ କରାଯାଇ ସମସ୍ତ ବାସିନ୍ଦାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ କୁହାଯାଇଛି।
ମିଳିଥିବା ସୂଚନାନୁସାରେ, ଆଇବି କାର୍ଯ୍ୟାଳୟରେ ୫୫ କର୍ମଚାରୀ କାର୍ଯ୍ୟ କରନ୍ତି। କିନ୍ତୁ କରୋନା କଟକଣା ପରଠାରୁ କମ୍‌ ସଂଖ୍ୟକ କର୍ମଚାରୀ କାର୍ଯ୍ୟରତ ଥିଲେ। ସେହିଭଳି ଆଇବି ଷ୍ଟାଫ୍‌ କଲୋନୀରେ ୧୫୦ରୁ ଅଧିକ ଲୋକ ରହୁଥିବାବେଳେ ସତ୍ୟନଗରସ୍ଥିତ ଉକ୍ତ କୋଠାରେ ୪୮ଜଣ ଥିବା ଜଣାପଡିଛି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ମଧ୍ୟ ଭୟ ଓ ଆଶଙ୍କାରେ ରହିଛନ୍ତି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, କରୋନା ମୁକାବିଲା ଓ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ବିଏମ୍‌ସି ଏହି ସିଲ୍‌ ପ୍ରକ୍ରିୟା ଜାରି ରଖିଛି। ସିଲ୍‌ କରାଯିବା ପରେ ସମ୍ପୃକ୍ତ ଅଞ୍ଚଳକୁ ବିଷୋଧନ କରାଯାଉଛି ଓ ଉକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ସତ୍ୟନଗରସ୍ଥିତ ବିଲ୍ଡିଂ ଓ ଗୋଇନ୍ଦା ବ୍ୟୁରୋ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ସେଠାରେ ରହୁଥିବା ସମସ୍ତଙ୍କର ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ସମସ୍ତ କାର୍ଯ୍ୟ କରାଯିବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ ବୋଲି କମିଶନର ଚୌଧାରୀ କହିଛନ୍ତି।

Share