ଗୋକୁଳାନନ୍ଦଜୀଉଙ୍କ ଚିତାଲାଗି

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତାଲାଗି କରାଯାଇଥିଲା । ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଶ୍ରୀଜୀଉଙ୍କ ସକାଳ ଧୂପ ଶେଷ ହେବାପରେ ମନ୍ଦିରର ମୁଖ୍ୟପୂଜକ ସୁନାଚିତାକୁ ଧରି ବେଢ଼ା ପରିକ୍ରମା କରିବା ପରେ ଶ୍ରୀ ଜୀଉଙ୍କୁ ଚିତାଲାଗି କରାଯାଇଥିଲା । ଏହି ଅବସରରେ ସ୍ବତନ୍ତ୍ର ଭୋଗ ଭାବେ ଖିରି ଓ ଚିତଉ ପିଠା ନୈବେଦ୍ୟ ଶ୍ରୀଜୀଉଙ୍କୁ ସମର୍ପଣ କରାଯାଇଥିଲା। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ମନ୍ଦିର ପରିଚାଳକ ଗଙ୍ଗାଧର ଷଡଙ୍ଗୀ କହିଛନ୍ତି । କଣ୍ଟିଲୋ ଓ ଆଖପାଖ ଅଞ୍ଚଳର ମହିଳାମାନେ ଘରେ ଘରେ ଚିତଉ ପିଠା ପ୍ରସ୍ତୁତ ପୂର୍ବକ ପୂଜାର୍ଚ୍ଚନା କରି ଏହାକୁ ନଦୀ ଗର୍ଭରେ ପକାଇ ଥିଲେ। ତେବେ କଣ୍ଟିଲୋସ୍ଥିତ ନୀଳମାଧବ ଜୀଉଙ୍କ ଚିତାଲାଗି ନୀତି ପାଞ୍ଜି ଅନୁସାରେ ଗୁରୁବାର ପାଳନ ହେବ ବୋଲି ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।

Share