ଗୋଚର ଜମିରେ ଚିଙ୍ଗୁଡିଘେରି ପ୍ରସଙ୍ଗ: ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବାହାନଗା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବାଉଁଶଆଡ଼ିଆ, ଉପରଆଡ଼ିଆ ଅଞ୍ଚଳରେ ଥିବା ସରକାରୀ ଗୋଚର ଜମିରେ ଚିଙ୍ଗୁଡି ଘେରି ନିର୍ମାଣ ପ୍ରସଙ୍ଗ ଗତ ୪ ମାସ ଧରି କୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବାଉଁଶଆଡ଼ିଆ, ଉପରଆଡ଼ିଆ, ରାମତାଳିଆଡ଼ିଆ ଆଦି ସମୁଦ୍ର ଉପକୂଳ ଅଞ୍ଚଳରେ ଥିବା ଶହ ଶହ ଏକର ସରକାରୀ ଗୋଚର, ଅନାବାଦି ଜମି ଉପରେ ଚିଙ୍ଗୁଡି ମାଫିଆମାନେ ଜବରଦସ୍ତ ନିଜ ଅଧୀନକୁ ନେଇ ଚିଙ୍ଗୁଡ଼ିଘେରି କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଗୋରୁଗାଇ ଚରିବା ପାଇଁ କୌଣସି ସ୍ଥାନ ନାହିଁ। ଅନ୍ୟପକ୍ଷରେ ଚିଙ୍ଗୁଡି ମାଫିଆମାନେ ସମ୍ପୃକ୍ତ ଅଞ୍ଚଳରେ ଥିବା ସରକାରୀ ରାସ୍ତାକୁ ମଧ୍ୟ ନିଜ ଅଧୀନକୁ ନେଇ ତା’ ଉପରେ ପୋଖରୀ ଖୋଳି ଘେରି ନିର୍ମାଣ କରିପକାଇଛନ୍ତି। ଫଳରେ ଲୋକମାନେ ଯାତାୟାତ କରିବାରେ ସମସ୍ୟା ଭୋଗୁଛନ୍ତି। ଏନେଇ ଗ୍ରାମବାସୀ ଗୋଚର ଜମି ଓ ସରକାରୀ ଜମିକୁ ମୁକ୍ତ କରିବା ପାଇଁ ବାଲେଶ୍ୱର ଜିଲାପାଳ, ବାହାନଗା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ ଅଞ୍ଚଳର ରାଧାକୃଷ୍ଣ ଯୁବ ସଙ୍ଗଠନ ସଭାପତି ପ୍ରଶାନ୍ତ ବାରିକ ଗତ ଫେବୃୟାରୀରେ ହାଇକୋର୍ଟରେ ଡବ୍ଲ୍ୟୁ. ପି.ସି. ନମ୍ବର ଏକ ମାମଲା(ନଂ. ୭୫୭୪/୧୯) ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ହାଇକୋର୍ଟ ବାଲେଶ୍ୱର ଜିଲାପାଳଙ୍କୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ଚଳିତବର୍ଷ ଜାନୁୟାରୀ ୨୧ତାରିଖରେ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ସମୁଦ୍ର କୂଳରୁ ଅଳ୍ପ ଦୂରରୁ ବୋହିଯାଇଥିବା କୋଷ୍ଟ କେନାଲକୁ ବନ୍ଧ ପକାଇ ଚିଙ୍ଗୁଡି ଘେରି କରାଯାଇଛି। ସମୁଦ୍ରରୁ ଆସୁଥିବା ଜୁଆରପାଣି ଲୋକମାନଙ୍କ ଚାଷ ଜମିକୁ ପ୍ରବେଶ କରିବାରୁ ଚାଷ ନଷ୍ଟ ହେଉଛି। ଏଭଳି ବେଆଇନ କାର୍ଯ୍ୟ ବହୁ ଚିଙ୍ଗୁଡ଼ି ଘେରି ମାଲିକମାନେ କରୁଥିବାରୁ ବର୍ଷାଦିନେ ପ୍ରବଳ ବନ୍ୟା ହେଉଛି। ଏଥିପ୍ରତି ସ୍ଥାନୀୟ ଲୋକମାନେ ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସାମାଜିକ କର୍ମୀ ପ୍ରଶାନ୍ତ ବାରିକ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।