ଗୋଛା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ: ୧୫ ଶାଗୁଆନ କାଠ ସହ ୯ ସାଇକେଲ ଜବତ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲ ଶିମିଳି ଗ୍ରାମ ନିକଟରୁ ଚଢ଼ାଉ କରାଯାଇ କାଠ ଓ ସାଇକେଲ ଜବତ କରାଯାଇଛି। ଜବତ କାଠ ମଧ୍ୟରେ ୬ ଖଣ୍ଡ ଶାଳଗଣ୍ଡି , ୧୫ ଖଣ୍ଡ ଶାଗୁଆନ ଲଗ୍‌ ରହିଛି। ଏଥିସହିତ ୯ ସାଇକେଲ ଜବତ କରାଯାଇଛି। କାଠ ଚୋରମାନେ ହଳ ଓ ସାଇକେଲ୍‌ରେ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ କାଟି ନେଇ ଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ, ବନପାଳ ଚନ୍ଦ୍ରମଣି ଡାକୁଆଙ୍କ ସମେତ ଜଙ୍ଗଲସୁରକ୍ଷା କର୍ମଚାରୀ ଶିମିଳି ଗ୍ରାମରେ ଚଢ଼ାଉ କରିଥିଲେ। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖି ଚୋରମାନେ କାଠ ଓ ସାଇକେଲ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ କରାଯାଉଥିବା ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ କହିଛନ୍ତି। ସେହିଭଳି ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି।