ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନ ବଦଳରେ କିଣାଯାଇ ପାରିବ ୩୨୪୪ ଆଇସିୟୁ ଶଯ୍ୟା: ଭାରତର ପ୍ରତିରକ୍ଷା ଖର୍ଚ୍ଚ ୫.୪ ଲକ୍ଷ କୋଟି

ଷ୍ଟକ୍‌ହୋମ୍‌,୩୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ। ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆବଶ୍ୟକ ଚିକିତ୍ସା ସେବା ତଥା ଆଇସିୟୁ ସୁବିଧା ନ ମିଳିବାରୁ ବହୁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ବୋଲି ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ୍‌ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌(ଏସ୍‌ ଆଇପିଆର୍‌ଆଇ) ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ରେ ସାରା ପୃଥିବୀରେ ସାମରିକ ଉପକରଣ କିଣିବାରେ ୧୯୦ ହଜାର କୋଟି(୧.୯ ଟ୍ରିଲିୟନ୍‌) ଡଲାର ଖର୍ଚ୍ଚ ହୋଇଥିଲା। ୨୦୧୮ ତୁଳନାରେ ଏଥିରେ ୩.୬ ପ୍ରତିଶତ ବୃଦ୍ଧି ଘଟିଥିଲା। ଆମେରିକାର ପ୍ରତିରକ୍ଷା ବଜେଟ ୫.୩ ପ୍ରତିଶତ ବଢ଼ିଥିବାବେଳେ ଜର୍ମାନୀର ପ୍ରତିରକ୍ଷା ଖର୍ଚ୍ଚ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନ ବଦଳରେ ୩୨୪୪ ଆଇସିୟୁ ଶଯ୍ୟା କିଣାଯାଇପାରିଥାନ୍ତା। ସେହିପରି ଗୋଟିଏ ଟ୍ୟାଙ୍କର କିଣା ଦାମରେ୪୪୦ ଭେଣ୍ଟିଲେଟର ଆସି ପାରିଥାନ୍ତା। ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନର ଦାମ ୬୭୦ କୋଟି ଟଙ୍କା ଥିବାବେଳେ ଲେପର୍ଡ ଯୁଦ୍ଧ ଟ୍ୟାଙ୍କର ଦାମ ୭୭ କୋଟି ରହିଛି। ସାମରିକ କ୍ଷେତ୍ରରେ ଆଗୁଆ ଥିବା ଆମେରିକା, ଚାଇନା, ଭାରତ, ରୁଷିଆ ଏବଂ ସୌଦି ଆଦି ୫ଟି ଦେଶ ଯଥାକ୍ରମେ ୫୫.୬ ଲକ୍ଷ କୋଟି, ୧୯.୮ ଲକ୍ଷ କୋଟି, ୫.୪ ଲକ୍ଷ କୋଟି, ୪.୯ ଲକ୍ଷ କୋଟି ଏବଂ ୪.୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share