Categories: ଖେଳ

ଗୋଟିଏ ଓଭରରୁ ଗେଲ୍‌ଙ୍କ ୩୨ ରନ ସଂଗ୍ରହ

ବ୍ରମ୍ପଟନ (କାନାଡା), ୪।୮- ପାକିସ୍ତାନ ଲେଗ୍‌-ସ୍ପିନର ଶଦାବ ଖାଁଙ୍କ ଗୋଟିଏ ଓଭରରୁ ୩୨ ରନ୍‌ ସଂଗ୍ରହ କରିଛନ୍ତି ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌। ଏଠାରେ ଚାଲିଥିବା ଗ୍ଲୋବାଲ ଟି୨୦ ଲିଗ୍‌ରେ ଭାଙ୍କୋଭର ନାଇଟ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଗେଲ୍‌ ଏଡ୍‌ମଣ୍ଟନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ବିସ୍ଫୋରକ ବ୍ୟାଟିଂ କରିଥିଲେ। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଏଡ୍‌ମଣ୍ଟ ରୟାଲ୍ସ ବେନ୍‌ କଟିଂ (୭୨ ରନ) ଓ ମହମ୍ମଦ ନଓ୍ବାଜ (୪୦)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୬୫ ରନ ସଂଗ୍ରହ କରିଥିଲା। ଜବାବରେ ଭାଙ୍କୋଭର ନାଇଟ୍ସ ୧୬.୩ ଓଭରରେ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଓପନର୍‌ ତଥା ଅଧିନାୟକ ଗେଲ୍‌ ୪୪ ବଲରୁ ୯ ଛକା ଓ ୬ ଚୌକା ସହାୟତାରେ ୯୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଏହି ବିସ୍ଫୋରକ ଇନିଂସ ଅବସରରେ ଗେଲ୍‌ ଶଦାବ ଖାଁଙ୍କ ଗୋଟିଏ ଓଭରରୁ ୩୨ ରନ୍‌ ସଂଗ୍ରହ କରିଥିଲେ। ଶଦାବଙ୍କ ଏହି ଓଭରର ୬ଟି ଯାକ ବଲ୍‌ ଯଥାକ୍ରମେ ୬, ୬, ୪, ୪, ୬, ୬ ରହିଥିଲା। ପୂର୍ବରୁ ଗେଲ୍‌ ଏହି ଟୁର୍ନାମେଣ୍ଟରେ ୧୨୨ ରନର ଏକ ଶତକୀୟ ଇନିଂସ ଖେଳିସାରିଛନ୍ତି।

Share