Categories: ଖେଳ

ଗୋଟିଏ ଓଭରରେ ୫ ଉଇକେଟ ନେଲେ ଭାରତୀୟ ପେସର

ନୂଆଦିଲ୍ଲୀ,୨୯।୧୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ହରିୟାଣା ଓ କର୍ନାଟକ ମଧ୍ୟରେ ସୁରଟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ ପୂର୍ବତନ ଭରତୀୟ ତଥା କର୍ନାଟକର ଅଭିଜ୍ଞ ପେସର ଅଭିମନ୍ୟୁ ମିଥୁନ ହ୍ୟାଟ୍ରିକ ସହ ଗୋଟିଏ ଓଭରରେ ୫ ଉଇକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଚଳିତବର୍ଷ ଅଭିମନ୍ୟୁଙ୍କ ଏହା ଦ୍ୱିତୀୟ ହ୍ୟାଟ୍ରିକ। ପୂର୍ବରୁ ସେ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ନେଇଥିଲେ। ହରିୟାଣା ଇନିଂସର ଅନ୍ତିମ ଓଭର ବୋଲିଂ କରିଥିଲେ ଅଭିମନ୍ୟୁ। ସେ ପ୍ରଥମ ବଲରେ ସେଟ ବ୍ୟାଟ୍ସମ୍ୟାନ ହିମାଂଶୁ ରାନା (୬୧)ଙ୍କୁ ମୟଙ୍କ ଅଗ୍ରଓ୍ବାଲଙ୍କ ହାତରେ କ୍ୟାଚ୍‌ ଆଉଟ କରାଇଥିଲେ। ପରବର୍ତ୍ତୀ ବଲରେ ଆଉ ଜଣେ ସେଟ ବ୍ୟାଟ୍ସମ୍ୟାନ ରାହୁଲ ତଓ୍ବେତିଆ (୩୨)ଙ୍କ ହାତେଇଥିଲେ। ୩ୟ ବଲରେ ସୁମିତ କୁମାରଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ ଅଭୁମନ୍ୟୁ। ଚତୁର୍ଥ ବଲରେ ପ୍ରତିପକ୍ଷ ଅଧିନାୟକ ଅମିତ ମିଶ୍ରାଙ୍କୁ କ୍ରିଷ୍ଣପା ଗୋଥମଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ୫ମ ବଲ ଓ୍ବାଇଡ ପକାଇବା ପରେ ଏକ ସିଙ୍ଗଲ ରନ୍‌ ବ୍ୟୟ କରିଥିଲେ। ଓଭରର ୬ଷ୍ଠ ତଥା ଅନ୍ତିମ ବଳରେ ଜୟନ୍ତ ଯାଦବଙ୍କୁ ପ୍ୟାଭେଲିଅନ ବାଟ ଦେଖାଇଥିଲେ। ଫଳରେ ପରଫେକ୍ଟ ୫ ଉଇକେଟ ସଫଳତା ପାଇଥିଲେ। ତେବେ ସେ ପ୍ରଥମ ୩ ଓଭରରେ ୩୪ ରନ୍‌ ବ୍ୟୟ କରିଥିଲେ।

Share