ଗୋଟିଏ ଦିନରେ କରୋନା ଭାଇରସ୍‌ରେ ୪,୮୦୦ ଜଣ ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୧,୪୮୦ ଟପିଲା

ବେଜିଂ,୧୪।୨: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ। ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଚାଇନାରେ ୨୫୪ ଜଣଙ୍କ ଜୀବନ ଯାଇଥିବାବେଳେ ୪,୮୦୦ ଜଣ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟାକୁ ମିଶାଇ ଚାଇନାରେ ଏଯାଏ ୧,୪୮୦ ଜଣଙ୍କ ମୃତ୍ୟୁ କରୋନା ଭାଇରସ ଯୋଗୁ ହୋଇସାରିଲାଣି। ସେହିପରି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଚାଇନା ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାର ହୁବେଇ ପ୍ରଦେଶରେ କେବଳ ୨୪୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ନୂଆ ନୂଆ କଟକଣା ଲଗାଇବ ଆରମ୍ଭ କରିଛି। ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇର ଉହାନକୁ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କୁ ପଠାଇଛି। ସେହିପରି ପୂର୍ବଭଳି ସହରରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି। ଏହି ଭାଇରସ ଯୋଗୁ ଚାଇନାରେ ବ୍ୟବସାୟିକ କ୍ଷତି ବଢିବାରେ ଲାଗିଛି। କେବଳ ଅଟୋ ସେକ୍ଟର ବିକ୍ରି ୧୮ ପ୍ରତିଶତ ହ୍ରାସ ପାଇଛି।

Share