ଗୋଟିଏ ଦିନରେ ଚିହ୍ନଟ ହେଉଛନ୍ତି ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାକୁ ନେଇ ଚିନ୍ତା ବି ବଢି ଯାଇଛି। ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୫,୯୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୪୬୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି କି କ’ଣ ପାଇଁ ଏତେ ସଂଖ୍ୟକ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି। ଏହା ପଛର କାରଣ ହେଉଛି ବହୁ ମାତ୍ରାରେ ଟେଷ୍ଟିଂ। ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୨.୧୫ଲକ୍ଷ ଟେଷ୍ଟ କରାଯାଇଛି। ଦେଶରେ ଏବେ କରୋନା ଟେଷ୍ଟ ପାଇଁ ପାଖାପାଖି ୧,୦୦୦ ଲ୍ୟାବ କାମ କରୁଛି। ଏଥିମଧ୍ୟରୁ ୭୩୦ ସରକାରୀ ଓ ୨୭୦ ବେସରକାରୀ ଲ୍ୟାବ ରହିଛି। ଆଇସିଏମ୍‌ଆର୍‌ ଆହୁରି କହିଛି ଏବେ ଟେଷ୍ଟିଂ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ରହିଛି ୪ ନମ୍ବରରେ। ଦେଶରେ ବର୍ତ୍ତମାନ ସୁଦ୍ଧା ୭୩,୫୨,୯୧୧ ଟେଷ୍ଟ ସରିଲାଣି। ଆଗୁ ଆଇସିଏମ୍‌ଆର୍‌ ଦିନକୁ ପାଖାପାଖି ୩ ଲକ୍ଷ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛି।

Share