ଗୋଟିଏ ଦିନରେ ୩ ଘରୁ ଚୋରି: ପୋଲିସ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ଚମ୍ପୁଆ, ୧୧ା୭(ଡି.ଏନ.ଏ)-ଦୁଇ ଦିନ ତଳେ ଚମ୍ପୁଆ ସଖି ପେଟ୍ରୋଲ ପମ୍ପ ନିକଟରୁ ତାଲାଭାଙ୍ଗି ହୋଇଥିବା ସିରିଜ ଚୋରିର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ଚମ୍ପୁଆ ପୋଲିସ ଏହାର ତନାଘନା କରିଛି। ସୂଚନା ଅନୁସାରେ ଚମ୍ପୁଆ ବ୍ଲକର କନିଷ୍ଠ ଯନ୍ତ୍ରୀ ମମତା ପାତ୍ର ସଖି ପେଟ୍ରୋଲ ପମ୍ପ ପଛ ତରଣୀସେନ ପ୍ରଧାନଙ୍କ ଘରେ ଭଡାରେ ରହି ଆସୁଥିଲେ। ଘଟଣା ପୂର୍ବଦିନ ମମତା ନିଜ ଗ୍ରାମକୁ ଯାଇଥିବାର ସୁଯୋଗ ନେଇ ରାତିରେ ଚୋରମାନେ ଘରର ଗେଟ ତାଲା ଭାଙ୍ଗି ଲାପଟପ, ୨ଟି ସୁନାଚେନ, ୩ଟି ସୁନାମୁଦି, ସୁନା କାନ ଫୁଲ ଏକହଳ ସହ ନଗଦ ୧୨ହଜାର ଟଙ୍କା ନେଇଯାଇଥିଲେ। ସକାଳୁ ନିକଟରେ ରହୁଥିବା ଆଇନଜୀବୀ ରଘୁନାଥ ମହାକୁଡ ଘର ଖୋଲାଥିବା ଦେଖି ତରଣିସେନ ଥାନାକୁ ଖବର ଦେଇଥିଲେ। ପରେ ଏନେଇ ଚମ୍ପୁଆ ଥାନାରେ ଏତଲା ଦିଆଯାଇଥିଲା। ସେହିପରି ଚୋରି ହୋଇଥିବା ଘରଠାରୁ ଅଳ୍ପ ଦୂରରେ ଆଉ ଦୁଇଗୋଟି ଘରେ ତାଲା ଭଙ୍ଗା ଯାଇଥିଲା। ଗୁରୁବାର ଚମ୍ପୁଆ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନଙ୍କ ନେତୃତରେ ସବଇନ୍ସପେକ୍ଟର ପଦ୍ମାବତୀ କପାଟ ସଦଳବଳ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଏହାର ତଦନ୍ତ କରିଥିଲେ।