Categories: ଜାତୀୟ

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନେ ଯୋଗଦେବେ। ଏଥିରେ ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଇବା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାରା ଦେଶରେ ଗୋଟିଏ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳକୁ ଆଲୋଚନା ପାଇଁ ଡାକିଛନ୍ତି। ବୁଧବାର ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୨୦୨୨ରେ ସ୍ବାଧୀନତାର ୭୫ ବର୍ଷପୂର୍ତ୍ତି ଏବଂ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହାର ଦିନକ ପରେ ଅର୍ଥାତ୍‌ ଜୁନ୍‌ ୨୦ ତାରିଖରେ ଏକ ନୈଶଭୋଜିର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୁତ ଏହି ଡିନର ପାର୍ଟିରେ ଉଭୟ ରାଜ୍ୟ ସଭା ଓ ଲୋକ ସଭାର ସମସ୍ତ ଏମ୍‌ପି ଯୋଗଦେଇ ସରକାରଙ୍କ ସହ ଭାବର ଆଦାନପ୍ରଦାନ କରିବେ।

Share