ଗୋଟିଏ ଦେଶ, ଗୋଟିଏ ପତାକା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଦିନକ ପୂର୍ବରୁ ବୁଧବାର ଗାନ୍ଧୀ ମାର୍ଗରେ ବନ୍ଦେ ମାତରମ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ଭିତ୍ତିକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଦେଶ ଗୋଟିଏ ପତାକା ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଯାଇଛି। ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ସମର୍ଥନ କରି ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଭାରତକୁ ଅଖଣ୍ଡ କୁହାଯାଉଥିଲେ ବି ବାସ୍ତବତା କିନ୍ତୁ ଭିନ୍ନ ରହିଥିଲା। ଜମ୍ମୁ ଓ କଶ୍ମୀରରେ ସ୍ବତନ୍ତ୍ର ପତାକା ନିୟମ ନେଇ ସେମାନେ ଆମ ଭୂଖଣ୍ଡର ଅଂଶ ହୋଇଥିଲେ ବି ଭିନ୍ନ ହୋଇ ରହୁଥିଲେ। ବର୍ତ୍ତମାନ ଅନୁଚ୍ଛେଦ ୩୭୦ ହଟିବା ପରେ ଦେଶରେ ଏକତା ବଢ଼ିଲା ଓ ଗୋଟିଏ ସମ୍ବିଧାନ ସହ ଗୋଟିଏ ଜାତୀୟ ପତାକା ଉଡିଲା। ଏହି ବିଷୟକୁ ବୁଧବାର ଗାନ୍ଧୀ ମାର୍ଗରେ ଅନୁଷ୍ଠାନ ପକ୍ଷରୁ ପଥପ୍ରାନ୍ତ ନାଟକରେ ପରିବେଷଣ କରାଯାଇଥିଲା। ଏଥିରେ ତ୍ରିରଙ୍ଗା ପ୍ରିୟଦର୍ଶନ, ଇଣ୍ଡିଆନ ସାହୁ, ରଶ୍ମିତା, ଯାଜ୍ଞସେନ ରାଉତ, ପ୍ରହଲ୍ଲାଦ ନାୟକ, ସଚିତ୍ର ପରିଡା, ମନସ୍ମିତା ରାଉତ, ମନୋଜ ରାଉତ, ରବୀନ୍ଦ୍ର ନାୟକ, ଗୀତାଞ୍ଜଳି ନାୟକ ଓ କିରଣ ନାୟକ ଭାଗ ନେଇଥିଲେ। ପ୍ରତିବର୍ଷ ଦେଶାତ୍ମବୋଧ, ଜାତୀୟତାକୁ ବିଷୟ କରି ନାଟକ ପରିବେଷଣ ହେଉଥିବା ବେଳେ ଚଳିତ ଥର ଅନୁଚ୍ଛେଦକୁ ୩୭୦କୁ ବିଷୟ ଭାବେ ଗ୍ରହଣ କରାଯାଇଥିଲା।