ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଚାଲିବା ଘଟଣା: ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଗୋଟିଏ ନମ୍ବରରେ ଏକାଧିକ ଗାଡି ଚାଲିବା ଘଟଣାରେ ଲିଙ୍ଗରାଜ ଥାନାରେ ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଟ୍ରାଫିକ ଥାନାର ଅଧିକାରୀ ସୁରେନ୍ଦ୍ର ଭଳଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ.୨୦୪/୧୯ରେ ମାମଲା ରୁଜୁ କରିବା ସହ ଦଫା ୪୨୦, ୪୬୮, ୪୭୧, ୪୭୨, ୪୭୩, ୧୨୦(ବି) ଲଗାଇ ତଦନ୍ତ କରୁଛି। ଗାଡ଼ି ମାଲିକ ଅଜୟ କୁମାର ଓ ରାହୁଲ କୁମାର ଏବଂ ପାର୍ଟନର ସଞ୍ଜୟ କୁମାର ଅଗ୍ରଓ୍ବାଲଙ୍କ ନାମରେ ଏହି ମାମଲା ହୋଇଥିବାବେଳେ ଫେରାର ଥିବାରୁ ସେମାନଙ୍କୁ ଗିରଫ ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ, ଗାଡ଼ି ମାଲିକ କଟକରେ ରହୁଥିବାବେଳେ ଭୁବନେଶ୍ୱର ସାମନ୍ତରାପୁର ଛକ ଓ କଟକ ମହତାବ ରୋଡ୍‌ରେ ଟ୍ରାଭେଲ ଏଜେନ୍ସି ଅଫିସ ରହିଛି। ୧୩ ଟାଟା ଏସିଇ ଗାଡି ଭଡା ଲଗାଉଥିବାବେଳେ ୩ ଗାଡିର କାଗଜପତ୍ର ଠିକ୍‌ ଥିଲା। ଉକ୍ତ ୩ଟି ଗାଡିର ନମ୍ବର ବ୍ୟବହାର କରି ଅନ୍ୟ ୩ ଗାଡି ଚାଲୁଥିଲା ଓ ଆଉ ୬ ଗାଡିରେ ଜାଲ ନମ୍ବର ଲଗାଯାଇଥିଲା। ଫାଇନାନ୍ସରେ ଗାଡି ଅଣାଯାଇଥିବାରୁ ଫାଇନାନ୍ସ କମ୍ପାନୀକୁ ଟଙ୍କା ନ ଦେଇ ଏପରି ଭାବେ ଠକୁଥିଲେ। ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ ଗାଡି ଜବତ କରିବା ପାଇଁ ଯାଉଥିଲେ ମଧ୍ୟ ସେମାନେ ଗାଡିର ନମ୍ବର ପ୍ଲେଟ ଅଲଗା ଥିବା ଜାଣି ନ ପାରି ଫେରିଆସୁଥିଲେ। ଏହିଭଳି ଚଞ୍ଚକତା କରି ସେ ଟ୍ରାଫିକ ପୋଲିସ, ଆର୍‌ଟିଓକୁ ବି ଠକୁଥିଲେ। କିନ୍ତୁ ଜଣେ ଯୁବକ ପୋଲିସ କମିଶନରଙ୍କୁ ଟୁଇଟ୍‌ କରିବା ପରେ ଟ୍ରାଫିକ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

Share