ଗୋଟିଏ ନମ୍ବରରେ ଚାଲୁଥିଲା ଏକାଧିକ ଟାଟା ଏସିଇ: ୧୩ ଗାଡ଼ି ଜବତ, ୬ଟିର ନମ୍ବର ଜାଲ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଫାଇନାନ୍ସ ଓ ଜରିମାନା ଫାଙ୍କିବାକୁ ଜଣେ ଟ୍ରାଭେଲ୍‌ ଏଜେନ୍ସି ମାଲିକ କରିଥିଲେ ଚଞ୍ଚକତା। ଗୋଟିଏ ନମ୍ବରରେ ଚଳାଉଥିଲେ ଏକାଧିକ ଗାଡ଼ି। ଏପରି କି ୩ଟି ଟାଟା ଏସିଇ ଗାଡ଼ିିର ନମ୍ବରରେ ଅନ୍ୟ ଗାଡ଼ିି ମଧ୍ୟ ଚଲାଉଥିଲେ। ତେବେ ନୀହାର ରଞ୍ଜନ ରାଉତରାୟ ନାମକ ସଚେତନ ନାଗରିକ ଏ ନେଇ ପୋଲିସ କମିଶନରଙ୍କୁ ଟୁଇଟ କରିବା ପରେ ଶୁକ୍ରବାର ଏହି ଘଟଣା ପଦାକୁ ଆସିଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏହି ଟ୍ରାଭେଲ ସଂସ୍ଥାର ୧୩ଟି ଟାଟା ଏସିଇ ଗାଡ଼ିିକୁ ଜବତ କରିଛି। ଏହି ୧୩ଟି ଗାଡ଼ି ମଧ୍ୟରୁ ୬ଟିର ନମ୍ବର ଜାଲ ଥିବା ଜଣାପଡ଼ିଛି। ୩ଟି ଗାଡ଼ିର ନମ୍ବର ଠିକ୍‌ ଥିବାବେଳେ ସେହି ଏକା ନମ୍ବରରେ ଅନ୍ୟ ୩ଟି ଗାଡ଼ିି ଚାଲୁଥିଲା। ବାକି ୭ଟି ଗାଡି ଏକାନମ୍ବରରେ ଚାଲୁଥିଲା କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି। ଜବତ ଗାଡ଼ିର ଆର୍‌ସି ବୁକ୍‌ ଅନୁଯାୟୀ, ମାଲିକ ଅଜୟ ରାହୁଲ କୁମାର ଥିବାବେଳେ ପାର୍ଟନର ସଞ୍ଜୟ କୁମାର ଅଗ୍ରଓ୍ବାଲ ରହିଛନ୍ତି। ପୋଲିସ ପକ୍ଷରୁ ମାଲିକଙ୍କୁ ଡକରା ଯାଇଥିଲେ ମଧ୍ୟ ସେ ବାହାରେ ଥିବା କହି ଥାନାରେ ହାଜର ହୋଇ ନ ଥିଲେ। ତେଣୁ ପୋଲିସ ତାଙ୍କୁ ଉଠାଇ ଆଣି ପଚରାଉଚରା କରିଥିବା ଜଣାପଡ଼ିିଛି। ଅପରପକ୍ଷେ, ଆର୍‌ଟିଓଙ୍କ ସହ ଟ୍ରାଫିକ ପୋଲିସ ଯୋଗାଯୋଗ କରି ଜବତ ଗାଡ଼ିଗୁଡ଼ିକର ପ୍ରକୃତ ମାଲିକଙ୍କୁ ଖୋଜୁଛି। ସୂଚନାଯୋଗ୍ୟ, ମାଲିକ ଜଣକ କଟକରେ ରହୁଥିବା ବେଳେ ସାମନ୍ତରାପୁର ଛକ ଓ କଟକ ମହତାବ ରୋଡରେ ଟ୍ରାଭେଲ ଏଜେନି୍ସ ଅଫିସ ଖୋଲି ଟାଟା ଏସିଇ ଗାଡ଼ି ଭଡ଼ା ଦେଉଥିଲେ। ଫାଇନାନ୍ସରେ ଗାଡ଼ି ଅଣାଯାଇଥିଲେ ମଧ୍ୟ ଫାଇନାନ୍ସ କମ୍ପାନୀକୁ ଟଙ୍କା ନ ଦେଇ ଠକୁଥିଲେ।

Share