ଗୋଟିଏ ପଟେ ଉତ୍ସବ, ଅନ୍ୟପଟେ ଧାରଣା

ସଜନାଗଡ଼, ୧୫।୧(ଡି.ଏନ.ଏ.)-ନୀଳଗିରି ମହାବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ମଙ୍ଗଳବାର ମହାବିଦ୍ୟାଳୟ ପରିସର ଅଡ଼ିଟୋରିୟମ ହଲ୍‌ ଭିତରେ ପାଳିତ ହୋଇଛି। ଅନ୍ୟପକ୍ଷେ କଲେଜର କେତେକ ଛାତ୍ରୀଛାତ୍ର ବାର୍ଷିକ ଉତ୍ସବ ଖୋଲା ପେଣ୍ଡାଲରେ କରାଯିବାକୁ ନେଇ ଫାଟକ ଆଗରେ ଧାରଣାରେ ବସିଥିଲେ। ନୀଳଗିରି ଥାନା ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ଓ ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂହ ପହଞ୍ଚ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିବା ପରେ ଅପରାହ୍ନରେ ପିଲାମାନେ ଧାରଣାରୁ ଓହରିଥିଲେ।
ଉତ୍ସବରେ ମୁଖ୍ୟବକ୍ତା ଭାବେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାଉନ୍‌ସିଲ ଅଫ ଆନାଲିଟିକାଲ ଟ୍ରାଇଭାଲ ଷ୍ଟଡ଼ିର ପ୍ରଫେସର ଡ. ରବିନାରାୟଣ ପାତ୍ର ମଞ୍ଚାସୀନ ରହି ଅଧ୍ୟାପକ ଓ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ସମନ୍ବୟ ଠିକ୍‌ ରହିଲେ ଶିକ୍ଷାର ମାନ ଉଚ୍ଚ ହୋଇଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୀଳଗିରି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ନୀଳଗିରି ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ଅଧ୍ୟାପକ ମନୋରଞ୍ଜନ ଦାସ ମଞ୍ଚାସୀନ ରହି ଅନୁରୂପ ଭାବେ ବକ୍ତବ୍ୟ ରଖିଥିଲେ। ନୀଳଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଶତପଥୀ ସଭାରେ ଅଧ୍ୟକ୍ଷତା କରି ଧନ୍ୟବାଦ ଅର୍ପଣ କରିଥିଲେ। ପିଲାଙ୍କ ଅଭିଯୋଗ ଅନୁଯାୟୀ ପିଲାଙ୍କ ପିଛା ୧୦ଟଙ୍କା ଲେଖାଏଁ ନେଇ ମୋଟ ୨୨ଶହ ପିଲାଙ୍କୁ ପାଖରୁ ଅର୍ଥ ଆଦାୟ ନେଇ ପ୍ରତିବର୍ଷ ପରି ଷ୍ଟେଜ୍‌ରେ ଏହି ବାର୍ଷିକ ଉତ୍ସବକୁ ପାଳନ କରା ନ ଯାଇ ଅଡ଼ିଟୋରିୟମ ରୁମ୍‌ରେ କରାଯାଉଛି। ଯେଉଁଠି ୫ଶହରୁ ଅଧିକ ପିଲା ବସିବା ସମ୍ଭବ ନୁହେଁ। ଏନେଇ ଧାରଣାରତ ଛାତ୍ରୀଛାତ୍ରମାନେ ୬ଦଫା ଦାବିନେଇ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।