ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !

ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ ଏହାର ସଂଖ୍ୟା କମ୍‌ ହେବା ସହ ଯେତିକି ପିପିଇ ଆବଶ୍ୟକ ତାହା ମିଳିପାରୁ ନାହିଁ। ହେଲେ ବର୍ତ୍ତମାନ ବ୍ରିଟେନର କେତେଜଣ ବୈଜ୍ଞାନିକ ଶହେ ଥର ବ୍ୟବହାର କରିପାରିବା ଭଳି ପିପିଇ ତିଆରି କରିଥିବା କୁହାଯାଉଛି। ଏହାଦ୍ୱାରା ବିଶ୍ୱରେ ଦେଖାଦେଇଥିବା ପିପିଇର ଅଭାବ ପୂରଣ ହୋଇପାରିବ ବୋଲି ଅନୁମାନ କରାଯାଉଛି। ଏହି ପିପିଇ ପାରାସୁଟର ଫ୍ୟାବ୍ରିକରେ ତିଆରି କରାଯାଇଛି ବୋଲି କୁହାଯାଉଛି। ଏହା ସମ୍ପୂର୍ଣ୍ଣ ଶରୀରକୁ ଆବରଣ କରି ରଖିବ। ଏହାସହ ସର୍ଜିକାଲ ଗାଉନ ସମ୍ପୂର୍ଣ୍ଣ ଅଲଗା ରହିବ। ଏହି ପିପିଇର କିଛି ଜିନିଷକୁ ପୁଣିଥରେ ବ୍ୟବହାର କରାଯାଇ ପାରିବ। ମହିଳାଙ୍କ ଫ୍ୟାଶନ ଫର୍ମ ଡେଭିଡ ନିପର ଏହାକୁ ତିଆରି କରିଥିବା କୁହାଯାଉଛି। ଯଦି ଏହାକୁ ଶହେ ଥର ବ୍ୟବାହର କରାଯିବ ତେବେ ୧୨.୫ ଲକ୍ଷ ଡିସ୍ପୋଜେବଲ ଗାଉନ ନଷ୍ଟ ହେବ ନାହିଁ। ସୂଚନାଯୋଗ୍ୟ, ବ୍ରିଟେନର ପାଖାପାଖି ଅଧା ଡାକ୍ତରଙ୍କୁ ପିପିଇ କିଟ୍‌ ମିଳିପାରୁ ନାହିଁ। ଫଳରେ ଏମାନେ ନିଜେ କିଣି ଅଥବା କେହି କେହି ଦାନ କରିଥିବା ପିପିଇ ବ୍ୟବହାର କରୁଛନ୍ତି ବୋଲି ଜଣାପଡିଛି। ଏହି ତଥ୍ୟ ବ୍ରିଟେନ ମେଡିକାଲ ଆସୋସିଏଶନର ଏକ ସର୍ଭେରୁ ଜଣାପଡିଛି। ଫଳରେ ୬୫ ପ୍ରତିଶତ ଡାକ୍ତର କରୋନା ଚିକିତ୍ସା କରୁଥିବା ସମୟରେ ନିଜକୁ ଅସୁରକ୍ଷିତ ମଣୁଥିବା କୁହାଯାଉଛି।

Share