ଶ୍ରୀକାକୁଲମ, ୧୬।୭: ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ପାଣିର ଘୋର ଅଭାବ ଦେଖାଦେଇଛି। ପାଣିପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ପାଣି ପାଇଁ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ବାଲ୍ଟି ପାଣି ପାଇଁ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି। ସୋମବାର ଶ୍ରୀକାକୁଳମରେ କିଛି ମହିଳା ପାଣି ପାଇଁ ନଳକୂପ ଆଗରେ ଲମ୍ବା ଲାଇନ୍ ଲଗାଇଥିଲେ। ଜଣେ ମହିଳା ଲାଇନ୍ ଭାଙ୍ଗି ଆଗକୁ ପଳାଇଯିବାରୁ ତାଙ୍କୁ ଅନ୍ୟ ମହିଳାମାନେ ଗାଳିଗୁଲଜ କରିବା ସହ ତାଙ୍କ ମୁଣ୍ଡକୁ ଏକ ଷ୍ଟିଲ୍ ବାଲ୍ଟିରେ ପିଟିଦେଇଥିଲେ। ଫଳରେ ମହିଳା ଜଣଙ୍କ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ପୋଲିସ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିବା ସହ ଅନ୍ୟ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।