ରୋମ୍,୧୫।୩: ପୃଥିବୀରେ ଭିନ୍ନ ଭିନ୍ନ କାରଣରୁ ବହୁ ଯୁଦ୍ଧ ହୋଇଛି। ତେବେ ମାତ୍ର ଗୋଟିଏ ବାଲ୍ଟି ପାଇଁ ଯୁଦ୍ଧ। ପୁଣି ଏଥିରେ ୨୦୦୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହା ସତ। ୬୯୫ ବର୍ଷ ତଳେ ଇଟାଲୀର ବୋଲୋଙ୍ଗାନା ଏବଂ ମୋଡ଼େନା ରାଜ୍ୟ ମଧ୍ୟରେ ଏଭଳି ଯୁଦ୍ଧ ଘଟିଥିଲା। ଏହି ଯୁଦ୍ଧ ଖ୍ରୀଷ୍ଟାବ୍ଦ ୧୩୨୫ରେ ହୋଇଥିଲା। ବୋଲୋଙ୍ଗାନାକୁ ଖ୍ରୀଷ୍ଟିୟାନ୍ ଧର୍ମଗୁରୁଙ୍କ ସମର୍ଥନ ମିଳୁଥିବାବେଳେ ମୋଡ଼େନାକୁ ରୋମ୍ର ରାଜା ପ୍ରୋତ୍ସାହିତ କରୁଥିଲେ। ଏହାପୂର୍ବରୁ ୧୨୯୬ରେ ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ହୋଇସାରିଥିଲା। ମୋଡ଼େନାର କିଛି ସୈନ୍ୟ ବୋଲୋଙ୍ଗାନାର ଦୁର୍ଗରେ ପ୍ରବେଶ କରି ସେଠାରୁ ଏକ ବାଲ୍ଟି ଚୋରି କରିଥିଲେ। ବାଲ୍ଟିକୁ ଫେରାଇ ଆଣିବା ଲାଗି ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଲାଗିଥିଲା। ବାଲ୍ଟିରେ ମୂଲ୍ୟବାନ ଅଳଙ୍କାର ଥିବା କୁହାଯାଇଥିଲା। ଏହାକୁ ଫେରାଇବା ଲାଗି ବୋଲୋଙ୍ଗାନା ମୋଡ଼େନାକୁ ତାଗିଦ୍ କରିଥିଲା। ମାତ୍ର ସୁଫଳ ମିଳି ନ ଥିଲା। ମୋଡ଼େନା ପାଖରେ ୭ ହଜାର ସୈନ୍ୟ ଥିଲେ ଅପରପକ୍ଷରେ ବୋଲୋଙ୍ଗାନାର ସୈନ୍ୟ ସଂଖ୍ୟା ୩୨ ହଜାର ଥିଲା। ଯୁଦ୍ଧ ହୋଇଥିଲା। କମ୍ ସୈନ୍ୟ ଥିଲେ ମଧ୍ୟ ଯୁଦ୍ଧରେ ମୋଡ଼େନାର ବିଜୟ ହୋଇଥିଲା। ଏହି ଯୁଦ୍ଧ ‘ଓ୍ବାର ଅଫ୍ ଦି ବକେଟ୍’ ଭାବେ ବେଶ୍ ପରିଚିତି ହାସଲ କରିଥିଲା।