Categories: ଖେଳ

ଗୋଟିଏ ମ୍ୟାଚ୍‌ରେ ହେଲା ସାମସନଙ୍କ ଭାଗ୍ୟ ନିର୍ଦ୍ଧାରଣ

ମୁମ୍ବାଇଳ ୧୩।୧ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଉପ-ଅଧିନାୟକ ରୋହିତ୍‌ ଶର୍ମାଙ୍କ ସମେତ ଦ୍ରୁତ ବୋଲର ମହମ୍ମଦ ସାମି ଘୋଷିତ ୧୬ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ କେରଳ ଉଇକେଟ୍‌କିପର ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।
ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଲାଗି ଉଭୟ ରୋହିତ୍‌ ଓ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା। ଚଳିତ ମାସ ଶେଷଭାଗରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନ୍ୟୁଜିଲାଣ୍ଡ ସିରିଜ ଲାଗି କିନ୍ତୁ ୫ ଜଣିଆ ଚୟନ କମିଟି ଉଭୟଙ୍କୁ ଦଳରେ ସାମିଲ କରିଛନ୍ତି। ତେବେ ଶ୍ରୀଲଙ୍କା ସିରିଜରେ ସ୍ଥାନ ପାଇଥିବା ସାମସନଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ମାତ୍ର ୬ ରନ କରିଥିବା ସାମସନ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡ଼ିଛନ୍ତି। ଏହାବାଦ୍‌ ଦଳରେ ସେହିଭଳି କୌଣସି ବଡ଼ ପରିବର୍ତ୍ତନ କରାଯାଇନାହିଁ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତ ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଜାନୁୟାରୀ ୨୪ରେ ଅକ୍‌ଲାଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦିନିକିଆ ଓ ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। କିନ୍ତୁ ଏଥିଲାଗି ଦଳ ଘୋଷଣା ପରେ କରାଯିବ ବୋଲି ଜଣାପଡ଼ିଛି।
ଭାରତୀୟ ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍‌ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ରିଷଭ ପନ୍ତ (ଉଇକେଟ୍‌କିପର), କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମନୀଷ ପାଣ୍ଡେ, ଶିଭମ ଦୁବେ, ଯଶପ୍ରୀତ୍‌ ବୁମ୍‌ରା, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ୍‌ଓ୍ବାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି।

Share