ଗୋଟିଏ ରାତିରେ ୫ ଘରୁ ଲୁଟ୍‌

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଉନାହିଁ।
ପ୍ରକାଶ ଯେ, କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ମୁଖ୍ୟରାସ୍ତାରେ ଥିବା ଦିବାକର ବିଷୋୟୀଙ୍କ ଘରୁ ଶନିବାର ରାତିରେ ପ୍ରାୟ ୧ ଭରି ଓଜନର ସୁନା ମାଳି, ୫ ଭରି ଓଜନର ରୂପା ଅଳଙ୍କାର ଓ ନଗଦ ୨୫ ହଜାର ଏବଂ ବୃନ୍ଦାବନ ସାହୁଙ୍କ ଘରୁ ସୁନା ମୁଦି, ନଗଦ ୨୨ ହଜାର ଟଙ୍କା ସହ ପିତ୍ତଳ ବାସନ ଚୋରି ହୋଇଛି। ଦୁର୍ବୃତ୍ତମାନେ ଉଭୟଙ୍କ ଘରର ବାରିପଟ କବାଟ ତାଡ଼ି ଘରେ ପଶି ଲୁହା ଟ୍ରଙ୍କ ଭାଙ୍ଗି ଚୋରି କରିଛନ୍ତି। ସକାଳୁ ଉଭୟ ପରିବାର ଏହାଦେଖି ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚକାତେନ୍ତୁଳି ଗ୍ରାମରେ ପହଞ୍ଚତ୍ ତଦନ୍ତ କରି ଫେରିଛି। ସେହିପରି ଶନିବାର ରାତିରେ ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାର ବୁନା ରେଡ୍ଡୀ, ଶଙ୍କର ଗୌଡ ଓ ଧନୁ ରେଡ୍ଡୀଙ୍କ ଘରୁ ମୋବାଇଲ ଫୋନ, ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୨ ରାତିରେ ପେଣ୍ଡୁରାବାଡ଼ି ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୨ଟି ସୁନା ହାର, ୪ କାନଫୁଲ, ୭ଟି ମୁଦି, ୫ ଶହ ଗ୍ରାମ ଓଜନର ରୂପା ଥାଳି, ୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଚୋରି କରିନେଇଥିଲେ। ସୁରେନ୍ଦ୍ରଙ୍କ ଏତଲାକ୍ରମେ ନଂ.୧୭୧/୧୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଚୋରି ସାମଗ୍ରୀ କିମ୍ବା ଚୋରଙ୍କ ସନ୍ଧାନ ମିଳିପାରିନାହିଁ। ବାରମ୍ବାର ଅଞ୍ଚଳରେ ଏପରି ଚୋରି ହେଉଥିବାରୁ ସାଧାରଣରେ ଆତଙ୍କ ଖେଳି ଯାଇଛି।