Categories: ଖେଳ

ଗୋଟିଏ ହୋଟେଲରେ ରହୁଥିଲେ କନିକା କାପୁର, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଖେଳାଳି

ନୂଆଦିଲ୍ଲୀ,୨୨।୩- ଏକ ହଜାର ସ୍ଥାନୀୟ ପ୍ରଶାସକ ଓ ଉତ୍ତର ପ୍ରଦେଶ (ୟୁପି) ସ୍ବାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ଗଠିତ ୧୦୦ ଦଳକୁ ବଲିଉଡ କଣ୍ଠଶିଳ୍ପୀ କନିକା କାପୁରଙ୍କ ଯୋଗାଯୋଗରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ମାର୍ଚ୍ଚ ୧୧ ତାରିଖରେ ୟୁପିରେ ରହିଥିଲେ। ଶୁକ୍ରବାର ତାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜେଟିଭ ଆସିଛି। ଲଣ୍ଡନରୁ ଫେରିବା ପରେ କନିକା ଯେଉଁ ହୋଟେଲରେ ରହୁଥିଲେ, ସେଠାରେ ହିଁ ଦକ୍ଷିଣ ଆଫ୍ରିକୀୟ କ୍ରିକେଟ ଦଳର ଖେଳାଳି ରହୁଥିବା ଖବର ସାମ୍ନାକୁ ଆସିଛି। କରୋନା ଭାଇରସ ଯୋଗୁ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। କନିକାଙ୍କ ଘର ନିକଟରେ ଥିବା ୨୨ ହଜାର ଘର ସ୍କାନ କରାଯାଉଛି। ଆଉ ଏକ ବିଶେଷଜ୍ଞ ଦଳ ଲକ୍ଷ୍ନୌ ସ୍ଥିତ ୫ ତାରକା ହୋଟେଲର ଚଳିତମାସ ୧୪ ଓ ୧୬ ତାରିଖ ସିସିଟିଭ ରେକର୍ଡ ଓ ଭିଡିଓ ଫୁଟେଜକୁ ଯାଞ୍ଚ କରୁଛି। କିଛି ରିପୋର୍ଟ ଅନୁଯାୟୀ, ହୋଟେଲରେ ଡିନର କରିଥିଲେ ଓ ଲବିରେ କିଛି ଅତିଥିଙ୍କୁ ଭେଟିଥିଲେ। ସେହି ହୋଟେଲରେ ଆୟୋଜିତ କନିକା ଏକ ନ୍ୟୁଜ ଚ୍ୟାନେଲର ବାର୍ଷିକ କନକ୍ଲେଭରେ ଯୋଗ ଦେଇଥିଲେ। ଏଣୁ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଓ କନିକାଙ୍କ ଯୋଗାଯୋଗରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତାଲିକା କରାଯାଉଛି ବୋଲି ଏହି କାର୍ଯ୍ୟରେ ନିୟୋଜିତ ଜଣେ ଅଫିସର କହିଛନ୍ତି। ବିଦେଶରୁ ଆସିବା ପରେ ଘରେ ସେଲ୍‌ଫ ଆଇସୋଲେଶନରେ ରହିବା ପରିବର୍ତ୍ତେ କନିକା ଅନ୍ୟମାନଙ୍କୁ ଭେଟିଥିଲେ। ଏବେ ତାଙ୍କ ରିପୋର୍ଟ ପଜେଟିଭ ଆସିଛି। ତାଙ୍କ ଭୁଲ ଯୋଗୁ ବହୁ ବ୍ୟକ୍ତିଙ୍କ ଜୀବନକୁ ବିପଦରେ ପକାଇଛନ୍ତି ବୋଲି ଲକ୍ଷ୍ନୌର ମୁଖ୍ୟ ମେଡିକାଲ ଅଫିସର ଡ. ନରେନ୍ଦ୍ର ଅଗ୍ରଓ୍ବାଲ କହିବା ସହ ମାମଲା ଦାୟର କରିଛନ୍ତି।

Share