Categories: ଖେଳ

ଗୋଟେ ଓଭରରେ ୫ ଛକା ମାରିଲେ କେକେଆର ଖେଳାଳି ବାଣ୍ଟନ

ବ୍ରିସବେନ, ୬।୧- ବ୍ରିସବେନ ହିଟ୍‌ ପକ୍ଷରୁ ଖେଳୁଥିବା ଇଂଲଣ୍ଡର ବିସ୍ଫୋରକ ଓପନର ଟମ ବାଣ୍ଟନ ସୋମବାର ବିଗ୍‌ ବାଶ ଲିଗ୍‌(ବିବିଏଲ)ର ସିଡ୍‌ନୀ ଥଣ୍ଡର୍ସ ବିପକ୍ଷ ମ୍ୟାଚ୍‌ରେ ୧୯ ବଲରେ ୫୬ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହା ବିବିଏଲ ଇତିହାସର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ଇନିଂସରେ ଥିଲା ୭ ଚୌକା ଓ ୨ ଚୌକା। ଏହି ମ୍ୟାଚ୍‌ର ଗୋଟିଏ ଓଭରରେ ବାଣ୍ଟନ ୫ ଛକା ଲଗାଇଥିଲେ। ସେ ପୁଣି ଭାରତୀୟ ବଂଶୋଦ୍ଭବ ଅର୍ଜୁନ ନାୟାରଙ୍କ ଓଭରରେ। ପ୍ରଥମ ବଲ ଡଟ୍‌ କରିବା ପରେ ବାଣ୍ଟନ ଲଗାତର ୫ ଛକା ମାରିଥିଲେ। ତାଙ୍କ ଯୋଗୁ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ବ୍ରିସବେନ ହିଟ୍‌ ୮ ଓଭରରେ ୪ ଉଇକେଟ ହରାଇ ୧୧୯ ରନ୍‌ କରିଥିଲା। ଜବାବରେ ଡିଏଲଏସ୍‌ ମେଥଡ ଅନୁସାରେ ଥଣ୍ଡର୍ସ ଆଗରେ ୫ ଓଭରରେ ୭୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଦଳ ମାତ୍ର ୫ ଉଇକେଟ ହରାଇ ୬୦ ରନ୍‌ କରିପାରିଥିଲା। ବଣ୍ଟନଙ୍କ ଏଭଳି ଇନିଂସ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମ୍ୟାନେଜମେଣ୍ଟ ଓ ପ୍ରଶଂସକ ନିଶ୍ଚେ ଖୁସି କରିଥିବ। କାରଣ ବାଣ୍ଟନଙ୍କୁ ଗତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଦୁଇ ଥର ଆଇପିଏଲ ଚାମ୍ପିୟନ କେକେଆର ଏକ କୋଟି ଟଙ୍କାର ବେସ ପ୍ରାଇସରେ କିଣିଥିଲା। ବାଣ୍ଟନ ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡ ପାଇଁ ୩ ମ୍ୟାଚ୍‌ ଖେଳି ୫୬ ରନ୍‌ କରିଛନ୍ତି।

Share