Advertisement

ଗୋଠଛଡ଼ା ହାତୀ ଶାବକ ଚିନ୍ତାରେ ବନ ବିଭାଗ:ପାଟିରେ ଘା’, ବିଗୁଡୁଛି ସ୍ବାସ୍ଥ୍ୟ

ଢେଙ୍କାନାଳ ଅଫିସ, ୨୯।୬ ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ରାସୋଳ ଥାନା ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଗୋଠରୁ ଅଲଗା ହୋଇଯାଇଥିବା ହାତୀ ଶାବକର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ବାରମ୍ବାର ଉଦ୍ୟମ ସତ୍ତ୍ୱେ ହାତୀ ଛୁଆ ଜଙ୍ଗଲକୁ ଯାଉନାହିଁ। ଅନ୍ୟପଟେ ପାଟିରେ ଘା’ ହୋଇଯାଇଥିବାରୁ ସେ ଖାଦ୍ୟ ହଜମ କରିପାରୁନାହିଁ। ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଜୁନ୍‌ ୨୬ରେ ଶିମିଳିପାଳରୁ ଆସିଥିବା ବିଶେଷଜ୍ଞ ଦଳ ହାତୀ ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତଥାପି ଏହାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉନାହିଁ। କପିଳାସ ଚିଡ଼ିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ୪ ହାତୀ ରହିଥିବାବେଳେ ସେଠାରେ ସଂଖ୍ୟା ବୃଦ୍ଧି କରିବା କାଠିକର ପାଠ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ମା’ ପଲରେ ନ ମିଶାଇଲେ ଶାବକକୁ କେଉଁଠାରେ ରଖାଯିବ ସେ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ବନ ବିଭାଗ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, ବନ ବିଭାଗ ପକ୍ଷରୁ ହାତୀ ଶାବକକୁ ପୁନର୍ବାର ପଲରେ ଛଡ଼ାଯିବାକୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। କପିଳାସ ଚିଡ଼ିଆଖାନାରେ ହାତୀ ଛୁଆକୁ ରଖିବା ସମ୍ଭବପର ହେଉନାହିଁ। ହାତୀ ଛୁଆକୁ ନେଇ କ’ଣ କରାଯିବ ସେଥିଲାଗି ଚିନ୍ତା କରାଯାଉଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ମାଈ ହାତୀ ଶାବକର ଆନୁମାନିକ ବୟସ ୨ ବର୍ଷ ହେବ। ୫ଦିନ ତଳେ ମା’ଠାରୁ ଅଲଗା ହୋଇ ସେ ଜନବସତିକୁ ପଳାଇ ଆସିଥିଲା। ଅଞ୍ଚଳବାସୀ ତାକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗର ଜିମା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share