Categories: ଖେଳ

ଗୋଥାମ୍‌ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ

ତରୌବା (ତ୍ରିନିଦାଦ ଆଣ୍ଡ୍‌ ଟବାଗୋ), ୮।୮ (ପି.ଟି.)- ଅଫ୍‌-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ପ୍ରଥମ ଇନିଂସରେ ୧୯୪ ରନରେ ସୀମିତ ରଖି ଦେଇଛି। ଜବାବରେ ୭ ରନରେ ଅଗ୍ରଣୀ ହାସଲ କରିଥିବା ଭାରତ-ଏ ୨ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩ ଉଇକେଟ୍‌ ହରାଇ ୨୩ ରନ ସଂଗ୍ରହ କରିଛି। ଦୁଇ ଓପନର୍‌ ପ୍ରିୟଙ୍କ ପଞ୍ଚଲ (୩) ଓ ଅଭିମନ୍ୟୁ ଈଶ୍ୱରନ (୬)ଙ୍କ ସମେତ ନିର୍ଭରଯୋଗ୍ୟ ମୟଙ୍କ ଅଗ୍ରଓ୍ବାଲ (୫) ଆଉଟ୍‌ ହୋଇଯାଇଥିବାବେଳେ ଶୁବମନ ଗିଲ୍‌ ୫ ଓ ଶାହବାଜ ନଦୀମ ୨ ରନ କରି କ୍ରିଜ୍‌ରେ ଅପରାଜିତ ରହିଛନ୍ତି। ଆଉ ୭ ଉଇକେଟ୍‌ ସୁରକ୍ଷିତ ରହିଥିବାବେଳେ ଭାରତ-ଏ ଏବେ ମୋଟ୍‌ ଉପରେ ୩୦ ରନରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ହନୁମା ବିହାରୀଙ୍କ ଦଳ ପ୍ରଥମ ଇନିଂସରେ ୨୦୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।
ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ର ପ୍ରଥମ ଦିବସ ସୁଦ୍ଧା ଗୋଟିଏ ଉଇକେଟ୍‌ ହରାଇ ୨୩ ରନ କରିଥିବା ଓ୍ବେଷ୍ଟଇଣ୍ଡିଜ-ଏ ବୁଧବାର ଓପନର୍‌ ଜେରେମି ସୋଲୋଜାନୋ (୬୯) ଓ ସୁନୀଲ ଆମ୍ବ୍ରିସ (୪୩)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୧୯୪ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଗୋଥାମ ସର୍ବାଧିକ ୬ ଓ ଉମେଶ ଯାଦବଙ୍କୁ ୨ଟି ଉଇକେଟ୍‌ ମିଳିଥିଲା। ଓ୍ବେଷ୍ଟଇଣ୍ଡିଜ-ଏ’ର ୭୩ତମ ଓଭରର ୨ୟ, ୩ୟ ଓ ୪ର୍ଥ ବଲ୍‌ରେ ଯଥାକ୍ରମେ ରେମନ୍‌ ରିଲିଫ୍‌ (୫), ଚେମର ହୋଲ୍ଡର (୦) ଓ ମିଗୁଏଲ୍ସ କୁମିନ୍ସ (୦)ଙ୍କୁ ଆଉଟ୍‌ କରି ଗୋଥାମ ହ୍ୟାଟ୍ରିକ ପୂରଣ କରିଥିଲେ।

Share