Categories: ବାଣିଜ୍ୟ

ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଗୋପନୀୟତାର ଦ୍ୱାହି ଦେଇଛନ୍ତି। ଭାରତ ଓ ସୁଇଜରଲାଣ୍ଡ ପ୍ରତ୍ୟେକ ମାମଲାର ସୂଚନା ଆଦାନପ୍ରଦାନ କରୁଛନ୍ତି। ତଦନୁଯାୟୀ ଯାଞ୍ଚ ହେଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆର୍‌ଟିଆଇ ଜବାବରେ କୁହାଯାଇଛି ଯେ, ଗୋପନୀୟତା ନିୟମ ଅଧୀନରେ ସୁଇଜରଲାଣ୍ଡରୁ କଳାଧନ ସଂକ୍ରାନ୍ତୀୟ ସୂଚନା ଭାରତକୁ ମିଳୁଛି। ଆର୍‌ଟିଆଇରେ ସୁଇଜରଲାଣ୍ଡରୁ ମିଳୁଥିବା କଳାଧନ ସଂକ୍ରାନ୍ତୀୟ ମାମଲାର ସମସ୍ତ ସୂଚନା ମଗାଯାଇଥିଲା। ଏଥିରେ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ନାମ ଏବଂ ସେମାନଙ୍କ ବିରୋଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାଇବାକୁ ଆର୍‌ଟିଆଇରେ ପ୍ରଶ୍ନ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ କଳାଧନ ସଂକ୍ରାନ୍ତୀୟ ସୂଚନାକୁ ସ୍ବତଃ ଆଦାନପ୍ରଦାନ କରିବାକୁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏଥିନେଇ ଆବଶ୍ୟକ ଆଇନଗତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଫଳରେ ସୁଇଜରଲାଣ୍ଡରେ ଖୋଲାଯାଇଥିବା ଭାରତୀୟ ଆକାଉଣ୍ଟ ବିଷୟରେ ଚଳିତବର୍ଷଠାରୁ ସୂଚନା ମିଳିବା ଆରମ୍ଭ ହୋଇଯିବ।

Share