ଗୋପରେ ନିଜାମୁଦ୍ଦିନରୁ ଫେରନ୍ତା ଚିହ୍ନଟ

ଗୋପ,୧।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କେତେଜଣ ବ୍ୟକ୍ତି ଯୋଗଦେଇଥିଲେ। ଇତିମଧ୍ୟରେ ଗୋପର ୨ଜଣ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ବ୍ଲକ ପ୍ରଶାସନ ପକ୍ଷରୁ ୨ଜଣ ଯୁବକଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଗୋପର ଶେଖ ମହଲାରେ ରହୁଥିବା ଜଣେ ଯୁବକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବକ ଜଣକ ଯୋଗଦେଇ ବିଳମ୍ବରେ ଅର୍ଥାତ୍‌ ୨ ଦିନ ପୂର୍ବରୁ ଘରେ ପହଞ୍ଚିଛନ୍ତି। କରୋନାକୁ ନେଇ ଏବେ ସାରା ବିଶ୍ବରେ ଆତଙ୍କ ଦେଖାଦେଇଥିବା ବେଳେ ଏହି ଯୁବକ ଜଣକ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ଗୋପ ତହସିଲଦାରଙ୍କ ସମେତ କେତେକ ଅଧିକାରୀ ତାଙ୍କ ଘରେ ପହଞ୍ଚି ଯାଞ୍ଚ କରାଯିବା ସହ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ସେହିପରି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଅନ୍ୟଜଣେ ଯୁବକଙ୍କ ଘର ବହ୍ମପୁର ହୋଇଥିବା ବେଳେ ଶଶୁର ଘର ଶେଖ ମହଲାରେ ଅବସ୍ଥିତ। ନିକଟରେ ସେ ଶେଖ ମହଲାକୁ ଆସିଥିବାରୁ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ତାଙ୍କୁ ଚିହ୍ନଟ କରିଛନ୍ତି। ଏହାପରେ ଗୋପ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।