ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୪।୧୨- ଗୋପାଳପୁର ବେଳାଭୂମି ପରିସରରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜାଗା ମିଶନରେ ଭୂମିହୀନଙ୍କୁ ଘର ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପାଇଲଟ୍‌ ବେସିସ୍‌ରେ ଗୋପାଳପୁରର ସତ୍ୟସାଇ ସାହିରେ ଗୃହ ପ୍ରଦାନ କରାଯାଇଥିବା ୪୭୬ ହିତାଧିକାରୀଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହାପରେ ବେଳାଭୂମି ପରିସରରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାକୁ ଉଦ୍‌ଘାଟନ କରିଥିଲେ। ଏଥିସହ ଜିଲା ପ୍ରଶାସନ ଦ୍ୱାରା କନ୍ୟାଭ୍ରୂଣ ହତ୍ୟା ରୋକିବା ନେଇ ଆରମ୍ଭ କରାଯାଇଥିବା ‘ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ’ର କନ୍ୟା ଶିଶୁ ସନ୍ତାନଙ୍କୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିର୍ଭୟା କଢ଼ି କାର୍ଯ୍ୟକ୍ରମର ଆମ୍ବାସାଡର୍‌ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସ୍କା ଏମ୍‌ପି ପ୍ରମିଳା ବିଷୋୟୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ର, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅଭିନେତା ଆକାଶ ଦାସ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।

Share