ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଙ୍ଗୀତ ସୁଧାକର ସ୍ମାରକୀ ସମ୍ମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଚଳିତବର୍ଷ ‘ନାଲ୍‌କୋ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ’ ପାଇବେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେଶନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ବାଳକୃଷ୍ଣ ଦାଶଙ୍କ ୯୬ତମ ଜୟନ୍ତୀ ଏବଂ ଫାଉଣ୍ଡେଶନର ୨୭ତମ ବାର୍ଷିକ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ପ୍ରଦାନ ପୂର୍ବକ ତାଙ୍କୁ ନାଲ୍‌କୋ ପକ୍ଷରୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବ। ଏଥିସହ ଗୀତିକାର କୁମୁଦିନୀ ମହାନ୍ତିଙ୍କୁ ‘ଗୀତି ସରସ୍ବତୀ ସମ୍ମାନ’, ମୃଦଙ୍ଗ ବାଦ୍ୟଶିଳ୍ପୀ ଡି. ଧନୁର୍ଦ୍ଧର ରେଡ୍ଡୀଙ୍କୁ ‘ବାଦ୍ୟ ସରସ୍ବତୀ ସମ୍ମାନ’ ଏବଂ ଓଡ଼ିଶୀ କଣ୍ଠଶିଳ୍ପୀ ବୀଣାପାଣି ନାୟକଙ୍କୁ ‘ସଙ୍ଗୀତ ସରସ୍ବତୀ ସମ୍ମାନ’ ପ୍ରଦାନ କରାଯିବ। ଏହି ୩ ଜଣଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ଏଥିସହ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଶୀ କଣ୍ଠ ସଙ୍ଗୀତରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଅର୍ଚ୍ଚନା ଜେନାଙ୍କୁ ‘ସଙ୍ଗୀତ ସୁଧାକର ସ୍ମୃତି ବୃତ୍ତି ପୁରସ୍କାର’ ପ୍ରଦାନ କରାଯିବ। ନାଲ୍‌କୋର ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିବେ। ଏ ସଂକ୍ରାନ୍ତରେ ଫାଉଣ୍ଡେଶନ ସଭାପତି ଧୀରେନ୍ଦ୍ର କୁମାର ରାୟ, ସମ୍ପାଦକ ରାମହରି ଦାସ ଏବଂ ଆବାହକ ଅରକ୍ଷିତ ଦାଶ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

Share