Categories: ରାଜ୍ୟ

ଗୋପାଳ ସାହିରେ ଉତ୍କଟ ଜଳ ସଙ୍କଟ: ବଇଣ୍ଡା-ଆଠମଲ୍ଲିକ ରାସ୍ତା ଅବରୋଧ

ବଇଣ୍ଡା,୧।୬(ଡି.ଏନ.ଏ.): କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତଠାରୁ ୧୦୦ ମିଟର ଦୂରରେ ଥିବା ଗୋପାଳ ସାହିରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଲୋକେ ପାନୀୟଜଳ ପାଇଁ ସମସ୍ୟା ଭୋଗୁଥିଲେ ମଧ୍ୟ ଟ୍ୟାଙ୍କର ଯୋଗେ ସେମାଙ୍କୁ ପାଣି ଯୋଗାଇ ଦିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଶୁକ୍ରବାର ସକାଳେ ସାହିର ମହିଳାପୁରୁଷ ଓ ଛୋଟ ପିଲାମାନେ ଗାଁ ବଇଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାସହ ପଞ୍ଚାୟତ ଅଫିସ ସମ୍ମୁଖରେ ଥିବା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା।
ଗ୍ରାମବାସୀ କହିଛନ୍ତି, ଉକ୍ତ ସାହିରେ ୧୦ରୁ ଊର୍ଦ୍ଧ୍ୱ ପରିବାର ବାସବାସ କରୁଛନ୍ତି। ସେମାନଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ନଳକୂପ ଖୋଳାଯାଇଛି। ହେଲେ ଉକ୍ତ ନଳକୂପରୁ ଠିକ ଭାବେ ପାଣି ବାହାରୁନାହିଁ। ସେଠାରୁ ୨୦୦ ମିଟର ଦୂରରେ ଥିବା ଏକ ନଳକୂପରୁ ସାହିବାସୀ ପାଣି ଆଣି ବ୍ୟବହାର କରୁଛନ୍ତି। ଏହି ପଞ୍ଚାୟତରେ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଉକ୍ତ ସାହି ପାଇଁ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଉନାହିଁ। ଏ ନେଇ ବହୁବାର ଦାବି ସତ୍ତ୍ୱେ ତେବେ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ଗ୍ରାମବାସୀ ଗରା, ବାଲଟି ଧରି ରାସ୍ତାରେ ଆନ୍ଦୋଳନ କରିଥିଲେ। ଖବରପାଇ ବଇଣ୍ଡା ଫାଣ୍ଡି ଅଧିକାରୀ ରୁଦ୍ରନାରାୟଣ ବିଶ୍ୱାଳ, ଗାଁ ବଇଣ୍ଡା ସରପଞ୍ଚ ମାନସ ସାହୁ ପହଞ୍ଚି ତୁରନ୍ତ ସାହିକୁ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଏ ନେଇ ସରପଞ୍ଚ ମାନସ ସାହୁ କହିଛନ୍ତି, ଉକ୍ତ ସାହିରେ ପାଣି ସମସ୍ୟା ସମ୍ପର୍କରେ କେହି ଅଭିଯୋଗ କରି ନାହାନ୍ତି। ପୂର୍ବତନ ସରପଞ୍ଚ ଅମଳରେ ପାଇପ୍‌ ବିଚ୍ଛା ଯାଇ ଗ୍ରାମଗୁଡ଼ିକୁ ଜଳଯୋଗାଣ କରାଯାଇଥିବାବେଳେ ଉକ୍ତ ସାହିରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇ ନାହିଁ। ତୁରନ୍ତ ଉକ୍ତ ସାହିରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇ ଜଳଯୋଗାଣ କରାଯିବ।

Share