ଗୋପ, ନିମାପଡ଼ା ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଗୋପ/ ନିମାପଡା, ୧୪ା୪(ଡି.ଏନ.ଏ.): ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସୋମବାର ଗୋପ ଓ ନିମାପଡ଼ା ଅଞ୍ଚଳ ବୁଲି କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଅନୁଧ୍ୟାନ କରିଥିଲେ। ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ରୋଗୀଙ୍କ ଲାଗି ଆବଶ୍ୟକ ଶଯ୍ୟା ରହିଛି କି ନାହିଁ ବୁଲି ଦେଖିବା ସହ ସାସ୍ଥ୍ୟକେନ୍ଦ୍ର ଅଧିକାରୀ ଶିବ ପ୍ରସାଦ ମଙ୍ଗରାଜଙ୍କ ସହ ଆଲୋଚନା କରିଥିଲେ। ବିଡିଓ ଦିପ୍ତୀରାଣୀ ଦାସଙ୍କୁ ରାଶନ ସାମଗ୍ରୀ ବଣ୍ଟନ, ପ୍ରତି ପରିବାରକୁ ଚାଉଳ, ଡାଲି ଏବଂ ରାଶନକାର୍ଡ ହିତାଧିକାରୀଙ୍କୁ କ’ଣ ପାଇଁ ଟଙ୍କା ବଣ୍ଟନ ଶେଷ ହୋଇନାହିଁ ବୋଲି ଜିଲାପାଳ ପଚାରିଥିଲେ। ପଞ୍ଚାୟତଗୁଡିକରେ କରୋନା ଲାଗି ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ତହସିଲଦାର ପୃଥିରାଜ ମଣ୍ଡଳଙ୍କୁ ବିଭିନ୍ନ ହାଟ ବଜାର ଖୋଲିବା ନେଇ ପଚାରି ବୁଝିଥିଲେ। ପରେ ଗୋପ ଥାନାକୁ ଯାଇଥିଲେ। ଜିଲାପାଳଙ୍କ ଗସ୍ତ ବେଳେ ଉପଜିଲାପାଳ ଭବତାରଣ ସାହୁ, ଏସ୍‌ପି ଉମାଶଙ୍କର ଦାସ, ଥାନା ଅଧିକାରୀ ସୁଧୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ନିମାପଡା ବ୍ଲକ ଗସ୍ତରେ ଜିଲାପାଳ ସିଂ ଯାଇ ନିମାପଡା, ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର, ଚାରିଛକ-ନିଆଳି ରାସ୍ତାର ସୀମା ସିଲ ଅଞ୍ଚଳ ପରିଦର୍ଶନ କରିଥିଲେ। ଆଇସୋଲେଶନ ଓ୍ବାର୍ଡ, ଔଷଧ ବିତରଣ କେନ୍ଦ୍ର ବୁଲି ଦେଖିଥିଲେ। ପ୍ରତ୍ୟେକ ଅଞ୍ଚଳ, ବଜାରକୁ ସାନିଟାଇଜେଶନ କରିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା ଲାଗି ପଦକ୍ଷେପ ନେବାକୁ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ବିଡିଓ ମନୋଜ କୁମାର ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ।

Share