ଗୋମେଧ ରତ୍ନପଥର ଖଣ୍ଡି ଖଖନ ନେଇ ଜିଲା ପ୍ରଶାସନର ଜନଶୁଣାଣି: ଜୀବନ ଦେବୁ, ହେଲେ ଖଣ୍ଡି ଖୋଲିବାକୁ ଦେବୁ ନାହିଁ; ଘାଟପଡାବାସୀଙ୍କ ଚେତାବନୀ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶୃପଡା ଗ୍ରାମପଞ୍ଚାୟତସ୍ଥିତ ସିଙ୍ଗଝରଣ ଗ୍ରାମରେ ଗାର୍ନେଟ ମାଇନ୍‌ ପ୍ରସ୍ତାବିତ ଖଣି ଉତ୍ପାଦନ ପାଇଁ ରାଜ୍ୟ ପ୍ରଦୂର୍ଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ ରାୟଗଡା ପକ୍ଷରୁ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ସିଙ୍ଗଝରଣ ଗ୍ରାମ ନିକଟରେ ୩ ଏକର ପରିମିତ ଅଞ୍ଚଳରେ ବାର୍ଷିକ ୨୬୪ କି.ଗ୍ରା, ଗୋମେଧ ରତ୍ନପଥର ଖଣ୍ଡିରୁ ଉତ୍ପାଦନ କରାଯାଇ ପାରିବ ବୋଲି ଜିଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣି ଶିବିରରେ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଘାଟପଡା ଓ ସିଙ୍ଗଝରଣ ଗ୍ରାମ ସମସ୍ତ ଗ୍ରାମବାସୀ ବିରୋଧ କରିଥିଲେ। ଯଦିଓ ଖଣ୍ଡି ଉତ୍ତୋଳନ କରାଯାଏ ଜୀବନ ପଛେ ଯିବ, ହେଲେ ଜମି ଛାଡିବୁ ନାହିଁ ବୋଲି ଗ୍ରାମବାସୀ ଜନ ଶୁଣାଣିରେ ଚେତାବନୀ ଦେଇଥିଲେ । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ ରାୟଗଡାରୁ ଉଚ୍ଚ ପଦାଧିକାରୀମାନେ ଯୋଗଦେଇଥିଲେ । ଏହି ଅଞ୍ଚଳରେ ଏହା ପୂର୍ବରୁ ଅନେକ ବ୍ୟବସାୟୀ ବିଭିନ୍ନ ଶିଳ୍ପାଞ୍ଚଳ ନିର୍ମାଣ କରିଥିଲେ ସୁଦ୍ଧା ସ୍ଥାନୀୟବାସୀଙ୍କୁ ନିଯୁକ୍ତି ଦେଇ ନ ଥିବା ମଧ୍ୟ ଅଭିଯୋଗ କରିଥିଲେ ।