ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ଜଡ଼ିତ ୭ଜଣ ଅପରାଧୀ ଗଞ୍ଜାମ କନ୍ଧମାଳ ଜିଲା ସୀମାବର୍ତ୍ତୀ ଡହ ନିକଟସ୍ଥ ଗୋଚ୍ଛାପଲ୍ଲୀ ଜଙ୍ଗଲ ଅଭିମୁଖେ ଚାଲିଯାଇଥିଲେ। ସେଠାରେ ପୋଲିସ ସହ ଅଭିଯୁକ୍ତମାନଙ୍କ ମୁହଁାମୁହିଁ ହୋଇଥିଲା। ଅପରାଧିମାନେ ପୋଲିସ ଉପରକୁ ବୋମା ମାଡ଼ କରିବା ସହ ଗୁଳିଚାଳନା କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏହି ସମୟରେ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। କିନ୍ତୁ ଅଭିଯୁକ୍ତ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଙ୍ଗିର ଚରଣ ରାଉତଙ୍କ ବାଇକ୍‌ କେନାଲ ଆଡ଼ିରେ ଖସିପଡ଼ିବାରୁ ସେ ତଳେ ପଡ଼ିଯାଇଥିଲେ। ଫଳରେ ପକେଟରେ ଧରିଥିବା ବୋମାଟି ଫୁଟି ଯାଇଥିଲା। ଏଥିରେ ଚରଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପୋଲିସ ଚରଣଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ଆଣିଥିଲେ । ମେଡିକାଲରେ ଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ ଗଣମାଧ୍ୟମକୁ ସୁଚନା ଦେଇଛି । ଚରଣଙ୍କ ପକେଟରୁ ୨୧ ହଜାର ଟଙ୍କା ଜବତ ହୋଇଛି । ଏଥିସହ ପୋଲିସ ଘଟଣାସ୍ଥଳରୁ ଗୋଟିଏ ମାଉଜର ଜବତ କରିଥିବା ଜଣାପଡ଼ିଛି। କିନ୍ତୁ ପୋଲିସ ଏନେଇ ବିଶେଷ ସୂଚନା ମିଳିପାରିନାହିଁ। ତେବେ ଅନ୍ୟ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ ପାଇଁ ଚେଷ୍ଟା ଚଳାଇଛି।

Share