‘ଗୋରେ ରଙ୍ଗ୍‌ କା ଜମାନା’କୁ ନେଇ ବିବାଦ : ଗୀତ ଚୋରି ଅଭିଯୋଗ ଆଣିଲେ ପାକ୍‌ ଅଭିନେତ୍ରୀ

କରାଚୀ/ମୁମ୍ବାଇ, ୨୮ା୮(ଆଇଏଏନ୍‌ଏସ୍‌): ବଲିଉଡ ସଂଗୀତ ଜଗତ ପାକିସ୍ତାନୀ ଗୀତ ଚୋରି କରୁଛି ବୋଲି ସେ ଦେଶର ଅଭିନେତ୍ରୀ ମେହଓ୍ବିଶ ହାୟତ ଅଭିଯୋଗ କରିଛନ୍ତି। ନିକଟରେ ଆଲିଆ ଭଟ୍ଟଙ୍କ ସଂଗୀତଭିତ୍ତିକ ଭିଡିଓ ପଞ୍ଜାବୀ ସଙ୍ଗ୍‌ ‘ପ୍ରଦା’ ମୁକ୍ତିଲାଭ କରିବା ପରେ ଏଥିରେ ପାକିସ୍ତାନର ‘ଭାଇଟାଲ୍‌ ସାଇନ୍ସ’ ଆଲବମ୍‌ର ‘ଗୋରେ ରଙ୍ଗ୍‌ କା ଜମାନା’ ଗୀତର ସାଦୃଶ୍ୟ ଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି। ହାୟତ ଟୁଇଟର ମାଧ୍ୟମରେ ଅଭିଯୋଗ କରିଛନ୍ତି, ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଗୋଟିଏ ପକ୍ଷରେ ଭାରତ ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ନିନ୍ଦା କରୁଥିବାବେଳେ ଅନ୍ୟପକ୍ଷରେ ସେମାନେ ଆମ ସଂଗୀତ ଚୋରି କରିବାରେ ଲାଗିଛନ୍ତି। ସ୍ବତ୍ୱାଧିକାର ଉଲ୍ଲଂଘନ ଏବଂ ରୟାଲ୍‌ଟି ପ୍ରଦାନ ବିଷୟରେ ସେମାନେ ବୁଝନ୍ତି ନାହିଁ।’ ସେ ପୁଣି ଲେଖିଛନ୍ତି ଶୋହେବ ମନସୁରଙ୍କ ରଚିତ ‘ଗୋରେ ରଙ୍ଗ କା ଜମାନା’ ଗୀତ ‘ଭାଇଟାଲ୍‌ ସାଇନ୍ସ’ ଆଲବମ୍‌ ଭଲ୍ୟୁମ-୧ର ଏକ ଅଂଶବିଶେଷ। ଏଥିସହିତ ଶାହରୁଖ୍‌ ଖାନ୍‌ଙ୍କ ଶେଷ ନେଟଫ୍ଲିକ୍ସ ପ୍ରଡକ୍ସନ୍‌ ‘ବାର୍ଡ ଅଫ୍‌ ବ୍ଲଡ’କୁ ମଧ୍ୟ ହାୟତ ଭର୍ତ୍ସନା କରିଛନ୍ତି। ଏହା ହେଉଛି ଆଉ ଏକ ‘ପାକିସ୍ତାନ ବିରୋଧୀ ପ୍ରକଳ୍ପ’ ବୋଲି ସେ ଟୁଇଟ୍‌ କରିଛନ୍ତି। ସେ ଶାହରୁଖ୍‌ ଖାନ୍‌ଙ୍କୁ ସଚେତନ କରାଇ କହିଛନ୍ତି, ‘ଦେଶପ୍ରେମୀ ହେବାକୁ କେହି ମନା କରୁନାହାନ୍ତି। କିନ୍ତୁ ପାକିସ୍ତାନକୁ କୁତ୍ସାରଟନା କରି ଦେଶପ୍ରେମୀ ବୋଲାଅ ନାହିଁ।’

Share