ନୂଆଦିଲ୍ଲୀ, ୬ା୪(ପି.ଟି.): କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ରୋକିବା ଦିଗରେ ଯୋଜନା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୌବା ମୁଖ୍ୟ ଶାସନ ସଚିବମାନଙ୍କ ସହ କୋଭିଡ୍-୧୯ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ କିଛିଦିନ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଆମକୁ ସବୁପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଏଥିପାଇଁ ଆବଶ୍ୟକ ଅନୁଯାୟୀ ସବୁ ଉପଲବ୍ଧ ସମ୍ବଳର ବିନିଯୋଗ କରିବାକୁ ହେବ ବୋଲି ଗୌବା କହିଛନ୍ତି। ଜିଲା ପର୍ଯ୍ୟବେକ୍ଷଣ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି।
ଦେଶରେ କରୋନା ଭୂତାଣୁ ଗୋଷ୍ଠୀ ସଂକ୍ରମଣ ରୂପ ନେଇଥିବା ଜଣାପଡି ନ ଥିଲେ ହେଁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ସଂକ୍ରମିତଙ୍କୁ ଖୋଜି ବାହାର କରିବା, ପରୀକ୍ଷା କରାଇବା ଏବଂ ଆଇସୋଲେଶନ ତଥା କ୍ୱାରାଣ୍ଟାଇନରେ ରଖିବା କାର୍ଯ୍ୟକୁ ଜୋରଦାର କରିବା ଉପରେ କ୍ୟାବିନେଟ ସଚିବ ଗୁରୁତ୍ୱାରୋପ କରିଛନ୍ତି।