ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିରହିଛି ଅଳିଆ ଆବର୍ଜନା : ଘଟଣା ସ୍ଥଳରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ପଡ଼ିରହି ଗନ୍ଧ ହେଉଛି । ଏହାର ସଫେଇ କରାଯାଉ ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃ ବିଭାଗ ସମେତ ବାହ୍ୟ ବିଭାଗକୁ ସଫେଇ କରାଯାଉନାହିଁ। ଅସ୍ବାସ୍ଥ୍ୟକର ପରିବେଶ ଲାଗି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ରୋଗୀଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡୁଥିବା ବୋଲି ଶ୍ରାନିକେତା ଅଞ୍ଚଳର ଧୀରେନ ପ୍ରଧାନଙ୍କ ସମେତ ନହ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃ ବିଭାଗ ପରିସର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ ଜିଲା ପ୍ରଶାସନ ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ପଦକ୍ଷେପ ନେଉ ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଅଞ୍ଚଳର କମିଶନର ପ୍ରଧାନ, ଗୋବିନ୍ଦ ପ୍ରଧାନ, ସାଗର ପ୍ରଧାନ ପ୍ରମୁଖ କହିଥିଲେ। ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ଜୟପାଲ ସେନାପପତିଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଲୋକଙ୍କ ଉତ୍ତେଜନା ଏବଂ ଅଭିଯୋଗ ସମ୍ପର୍କରେ ତାଙ୍କ ନିକଟରେ ଖବର ରହିଛି। ତେବେ ଗତ ୨୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀ ସ୍ବାସ୍ଥ୍ୟକେନ୍ଦ୍ରର କିପିଂ ଏବଂ କ୍ଲିନଂ ଦାୟିତ୍ୱ ନେଇଛି, କାର୍ଯ୍ୟରତ ସୁପରଭାଇଜରଙ୍କୁ ଶୀଘ୍ର ସଫେଇ କରିବାକୁ କୁହାଯାଇଛି। ତେବେ ପୂର୍ବ ଅପେକ୍ଷା ଏବେ ସ୍ବାସ୍ଥ୍ୟକେନ୍ଦ୍ର ସଫାସୁତୁରା କରାଯାଉଥିବା ସେ କହିଛନ୍ତି। ଧୀରେ ଧୀରେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ର ସଫା ରଖାଯିବ । ଏଥିପାଇଁ ଟେଣ୍ଡର ନେଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି ।

Share