‘ଗୋ ଗ୍ରୀନ୍‌’ ଅଭିଯାନ ଶୁଭାରମ୍ଭ: ନୂଆବର୍ଷରେ ବୃକ୍ଷ, ପୁସ୍ତକ, ସୂତା ବ୍ୟାଗ ଉପହାର ଦେଲା ବିଏମ୍‌ସି

ଭୁବନେଶ୍ୱର, ୨ା୧ (ବ୍ୟୁରୋ): ସ୍ବଚ୍ଛତା ଏବଂ ସବୁଜିମାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକ ଗୁରୁତ୍ୱ ଦେଇଛି। ନୂଆବର୍ଷରେ ନୂଆ ଚିନ୍ତାଧାରାକୁ ଆପଣାଇଛି। ବୁଧବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ‘ଗୋ ଗ୍ରୀନ୍‌’ ଅଭିଯାନର ଶୁଭାରମ୍ଭ କରିବା ସହ ଭୁବନେଶ୍ୱରର ନାଗରିକଙ୍କୁ ନୂଆ ବର୍ଷରେ କିଛି ନୂଆ ପଦକ୍ଷେପ ସ୍ବରୂପ ବୃକ୍ଷ, ପୁସ୍ତକ ଓ ସୂତା ବ୍ୟାଗ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍‌ ଲଗାଇ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବିଏମ୍‌ସି ଏହି ଅଭିଯାନ ଆରମ୍ଭ କରିଛି ବୋଲି ଚୌଧାରୀ କହିଛନ୍ତି। ସେ କହିଛନ୍ତି, ସହରରେ ବର୍ଜ୍ୟର ପରିମାଣ କମାଇବା ସହ ସବୁଜିମା ବୃଦ୍ଧି କରିବା ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ। ଦେଶର ଏକ ଅଗ୍ରଣୀ ସ୍ମାର୍ଟସିଟି ଭାବେ ଭୁବନେଶ୍ୱର ସ୍ବଚ୍ଛତା ଏବଂ ସାମାଜିକ ଅର୍ନ୍ତଭୁକ୍ତିକରଣକୁ ବିଏମ୍‌ସି ସଦା ସର୍ବଦା ବେଶ୍‌ ଗୁରୁତ୍ୱ ଦେଇ ଆସିଛି। ଏଥିପାଇଁ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି କମିଶନର।
ଏହି ଅବସରରେ ବିଏମ୍‌ସି ମୁଖ୍ୟାଳୟ ସମେତ ସହରର ୫ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୨ଶହ ସୂତା ବ୍ୟାଗ୍‌, ହଜାରେ ପୁସ୍ତକ ଓ ୨୬ଶହ ବୃକ୍ଷ ବଣ୍ଟନ କରାଯାଇଥିଲା। ବିଏମ୍‌ସି ମୁଖ୍ୟାଳୟରେ ଉପହାର ନେଉଥିବା ଲୋକେ ପଲିଥିନ ବ୍ୟବହାର ନ କରିବା ପାଇଁ ଶପଥ ନେଇଥିଲେ। ବିଏମ୍‌ସିର ବହୁ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାବ୍ୟତୀତ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଅବସରରେ ଏକ ‘ମୁଁ ସଫେଇବାଲା ରଥ’ର ଶୁଭାରମ୍ଭ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବିଏମ୍‌ସି ପକ୍ଷରୁ ସହରରେ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଦୈନିକ ୮୦କିମି ରାସ୍ତାର ଯାନ୍ତ୍ରିକ ସଫେଇ, ଅନ୍ୟାନ୍ୟ ରାସ୍ତା ଓ ସ୍ଥାନର ସଫେଇ, ଆସୁଥିବା ଅଭିଯୋଗର ସାମଧାନ, ବିଜ୍ଞାନ ସମ୍ମତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ କେନ୍ଦ୍ରଗୁଡିକର ନିର୍ମାଣ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେ ଥିବାରୁ ସ୍ବଚ୍ଛତା ପ୍ରତି ବିଏମ୍‌ସି ଅଧିକରୁ ଅଧିକ ଗୁରୁତ୍ୱ ଦେଉଛି।

Share