ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି। ଫୋର୍ବସ ମାଗାଜିନ୍‌ର ରିପୋର୍ଟ ଅନୁସାରେ ବିଶ୍ଳେଷକମାନେ ଏହାକୁ ଗ୍ବାଦରରେ ଚାଇନାର ଏକ ବହୁପ୍ରତୀକ୍ଷିତ ନୌସେନା ଘାଟିର ପ୍ରଥମ ସଙ୍କେତ ଭାବେ ଦେଖୁଛନ୍ତି। ଆଫ୍ରିକାର ଜିବୁତିରେ ଥିବା ନୌସେନା ଘାଟି ସହ ଗ୍ବାଦର ଘାଟି ପରିପୂରକ ଭାବେ କାର୍ଯ୍ୟ କରିବା ସହ ଭାରତ ମହାସାଗରରେ ଚାଇନାର ବଳ ବଢ଼ାଇବ। ଗତ କିଛି ବର୍ଷ ମଧ୍ୟରେ ଚାଇନା ଅନେକ ନୂଆ କମ୍ପ୍ଲେକ୍ସ ନିର୍ମାଣ କରିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ବନ୍ଦର ବିକାଶ କାର୍ଯ୍ୟରେ ନିୟୋଜିତ ଚାଇନା କମ୍ୟୁନିକେଶନ୍ସ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ (ସିସିସିସି)ର ବୋଲି ଚିହ୍ନଟ ହୋଇଛି। ଉକ୍ତ କମ୍ପ୍ଲେକ୍ସର ଅସ୍ବାଭାବିକ ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ସନ୍ଦେହ ସୃଷ୍ଟି ହେଉଛି ବୋଲି ଫୋର୍ବସ ପ୍ରକାଶ କରିଛି।
ପାକିସ୍ତାନ ଉପକୂଳର ପଶ୍ଚିମ ସୀମାରେ ଅବସ୍ଥିତ ଗ୍ବାଦର ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ହେବାକୁ ଯାଉଛି। ଏହା ଫଳରେ ଚାଇନା ନିଜ ସାମଗ୍ରୀଗୁଡ଼ିକୁ ସମୁଦ୍ର ପଥ ଦେଇ ଦକ୍ଷିଣ ଏସିଆରେ ବୁଲାଇବା ବଦଳରେ ସିଧା ପାକିସ୍ତାନ ଜରିଆରେ ପରିବହନ କରିପାରିବ। ଚାଇନା ଏଠାରେ ଏକ ନାଭାଲ୍‌ ବେସ୍‌ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ନେଇ ୨୦୧୮ ଜାନୁୟାରୀରେ ପ୍ରଥମେ ଜଣାପଡ଼ିଥିଲା। ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ଯାଏ ବାଣିଜି୍ୟକ ବନ୍ଦର ଗ୍ବାଦର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏକ ବନ୍ଦର ଭାବେ ଗ୍ବାଦରର ଭାଗ୍ୟ ଝୁଲିରହିଛି। ଆଫଗାନିସ୍ତାନ ସହିତ ବ୍ୟବସାୟ ପାଇଁ ଏହି ବନ୍ଦରକୁ ବ୍ୟବହାର ଲାଗି ନିକଟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ପ୍ରଥମ ବୃହତ୍‌ ମର୍ଚ୍ଚାଣ୍ଟ ଶିଫ୍‌ ଏମ୍‌ଭି ମନେଟ୍‌ ସେଠାକୁ ଗତ ସପ୍ତାହରେ ୧୭,୬୦୦ ଟନ୍‌ ଗହମ ନେଇ ଆସିଥିଲା। ତେବେ ଏହି ଚାଇନିଜ୍‌ ପୋର୍ଟ ଓ ସମ୍ଭାବ୍ୟ ନୌସେନା ଘାଟିରୁ ବେଜିଂ ଆଗକୁ ବିପୁଳ ଲାଭ ପାଇବ। ନୌସେନା ଘାଟି କାର୍ଯ୍ୟକ୍ଷମ ହେଲେ ଭାରତୀୟ ମହାସାଗରରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

Share