ଗ୍ରସେରି ଦୋକାନ ସିଲ୍‌ କଲେ ତହସିଲଦାର

ବାହାନଗା, ୨୬ା୪(ଡି.ଏନ.ଏ.)-ଶଟଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱର ଜିଲା ବାହାନଗା ତହସିଲଦାର ଜିତେନ୍ଦ୍ର କର କଲ୍ୟାଣୀ ଗ୍ରାମରେ ଖୋଲାଯାଇଥିବା ଏକ ଗ୍ରସେରି ଦୋକାନକୁ ସିଲ୍‌ କରିଛନ୍ତି। ସରକାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାକୁ ୬୦ଘଣ୍ଟା ପାଇଁ ଶଟ୍‌ଡାଉନ୍‌ କରିଥିବା ବେଳେ ଦ୍ୱିତୀୟ ଦିନ ଅର୍ଥାତ ଶନିବାର ବାହାନଗା ବ୍ଲକ କଲ୍ୟାଣୀ ଗ୍ରାମର ପ୍ରଫୁଲ୍ଲ ଦତ୍ତ ଗ୍ରସେରୀ ଦୋକାନ ଖୋଲି ବ୍ୟବସାୟ କରୁଥିଲେ। ବାହାନଗା ତହସିଲଦାର କର ପୋଲିସଫୋର୍ସ ସହ ପହଞ୍ଚି ସମ୍ପୃକ୍ତ ଦୋକାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିଲ୍‌ କରିଛନ୍ତି ା ଦୋକାନୀ ମାଲିକ ସରକାରଙ୍କ ଲକ୍‌ଡାଉନକୁ ଖାତିରି ନ କରି ବେଆଇନ ଭାବେ ଦୋକାନ ଖୋଲି ଲୋକମାନଙ୍କୁ ଗ୍ରାମରେ ସାମଗ୍ରୀ ବିକ୍ରି କରୁଥିବା ତହସିଲଦାର କର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ା ତେବେ ବାହାନଗା ବଜାର, ଗୋପାଳପୁର ବଜାରରେ ସମସ୍ତ ଦୋକାନ ବନ୍ଦ ରହିଥିବା ବେଳେ ଦିନ ଓ ରାତିରେ ରାସ୍ତାଘାଟ ଓ ବଜାର, ଛକଗୁଡିକ ଖାଁ ଖାଁ ହୋଇପଡିଛି। ତେବେ ଗୋପାଳପୁର ବଜାରରେ କେବଳ ଗୋଟିଏ ଔଷଧ ଦୋକାନକୁ ଜିଲା ପ୍ରଶାସନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି। ଯେଉଁ ଔଷଧ ଦୋକାନ ଖୋଲିଯାଇଛି ସେହି ଦୋକାନକୁ ରୋଗୀମାନେ ଖୋଜି ପାଉ ନ ଥିବା ଅଭିଯୋଗ ହୋଇଛି। ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଥିବା ବଜାର ଔଷଧ ଦୋକାନଗୁଡିକ ମଧ୍ୟରୁ କାହାକୁ ଜଣକୁ ଖୋଲିବା ପାଇଁ ଡ୍ରଗ୍ସ ବିଭାଗ ଅନୁମତି ଦେଇ ନ ଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।