ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଅଳ୍ପ ଘଣ୍ଟା ମଧ୍ୟରେ ପୃଥିବୀର ହେବେ ନିକଟତର: ଧକ୍କା ଲାଗିବାର ରହିଛି ଆଶଙ୍କା

ଓ୍ବାଶିଂଟନ,୯।୭: ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଏବେ ପୃଥିବୀର ନିକଟତର ହେବାରେ ଲାଗିଛନ୍ତି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହି ଗ୍ରହଖଣ୍ଡ ଦ୍ୱୟ ପୃଥିବୀର ଅତି ନିକଟତର ହେବେ। ତେବେ ଏହା ଉପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଅନୁଭୁତ ହେଲେ ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ନାସା ପକ୍ଷରୁ କୁହାଯାଇଛି। ଅତି ନିକଟତର ହେଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଏହା ତୀବ୍ର ଗତିରେ ମାଡ଼ି ଆସିବାର ଆଶଙ୍କା ରହିଛି। ଏପରି ହେଲେ ପୃଥିବୀ ସହିତ ଏହି ଗ୍ରହପିଣ୍ଡ ଦ୍ୱୟ ଜୋର୍‌ରେ ଧକ୍କା ହୋଇପାରନ୍ତି ବୋଲି ନାସା କହିଛି। ଏମ୍‌ବି-୪ ପୃଥିବୀଠାରୁ ୩୧୫ ହଜାର କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଯାହାକି ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ଦୂରତାଠାରୁ କମ୍‌। ପ୍ରାୟ ୨୨ ମିଟର ଲମ୍ବ ଏହି ଗ୍ରହଖଣ୍ଡ ପ୍ରତି ସେକେଣ୍ଡରେ ୭.୧ କିଲୋମିଟର ବେଗରେ ଗତି କରୁଛି। ସେହିପରି ଏନ୍‌ଏନ୍‌-୩ ସେକେଣ୍ଡ ପ୍ରତି ୮.୮୪ କିଲୋମିଟର ବେଗରେ ଗତି କରୁଛି। ଏନ୍‌ଏନ୍‌-୩ ପୃଥିବୀଠାରୁ ୩୨୦ ହଜାର କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଏହାର ଲମ୍ବ ୩୫ରୁ ୭୭ ମିଟର ମଧ୍ୟରେ ଥିବା କୁହାଯାଉଛି। ଏହା ବୁଧବାର ପୃଥିବୀକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।

Share