ଗ୍ରହଦୋଷ ଖଣ୍ଡନ ପାଇଁ ହେଲା କୁକୁର ବାହାଘର

ବାରାଣସୀ,୧।୯: କୁକୁର ବିବାହ କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ସତ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ ବା ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର କୋରାଓ ଗାଁରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ। ସମସ୍ତ ହିନ୍ଦୁ ବୈଦିକ ରିତିନୀତି ଅନୁଯାୟୀ ଏଠାରେ ଏକ ପୁରୁଷ କୁକୁର ସହ ଏକ ସ୍ତ୍ରୀ ପ୍ରଜାତିର କୁକୁରର ବିବାହ କରାଯାଇଛି। ତେବେ ଏହି ବିବାହ ପାଇଁ କାର୍ଡ ଛପାଯିବା ସହ ଏହି ବିବାହରେ ବନ୍ଧୁବାନ୍ଧବ ଯଥାରୀତି ଯୋଗ ଦେଇଥିଲେ। ଏମିତିକି ବରଯାତ୍ରୀ ପ୍ରସେଶନରେ ଯିବା ସହ ଲୋକେ ନାଚି ଗାଇ ଆନନ୍ଦ ନେଇଥିଲେ। ଏହାପରେ ଏକ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। ଠିକ୍‌ ମଣିଷଙ୍କ ଭଳି କୁକୁର ୨ଟିଙ୍କୁ ସଜାଇ ଦେଇ ବିବାହ ମଣ୍ଡପକୁ ନିଆଯାଇଥିଲା। ଆଉ ବିବାହ ପରେ ଏମାନଙ୍କୁ ବିଦାୟୀ ମଧ୍ୟ ଦିଆଯାଇଥିଲା। ଲୋକଙ୍କ ମତରେ ଏମିତି ବିବାହ କଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ। ଆଉ ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ ଯାହାର କୁଣ୍ଡଳୀ ଦୋଷ ଥାଏ ତାହା ମଧ୍ୟ ଖଣ୍ଡନ ହୋଇଥାଏ। ଆଉ ସେହି ଘରେ ଥିବା ଅବିବାହିତ ଯୁବତୀ ଯୁବକଙ୍କର ଶୀଘ୍ର ବିବାହ ହେବା ସହ ସୁଖମୟ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ।

Share